ଚୀନ୍‌ର ରହସ୍ୟମୟ ରୋଗକୁ ନେଇ ଭାରତରେ ଆତଙ୍କ, କରୋନା ସମୟର ଗାଇଡଲାଇନ୍ ମାନିବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ପରେ ଚୀନ୍‌ରେ ବ୍ୟାପିଥିବା ରହସ୍ୟମୟ ରୋଗ ଏବେ ବିଶ୍ୱର ବହୁ ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି କ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ମଧ୍ୟ ଚେତାବନୀ ଜାରି କରିସାରିଛି । ଏହି ନୂଆ ରୋଗ ପିଲାମାନଙ୍କ ଉପରେ ବେଶୀ ପ୍ରଭାବ ପକାଉଛି । ଅବସ୍ଥା ଏପରି ହୋଇଛି କି ଚୀନ୍‌ରେ ସରକାର ବହୁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କରୋନା ପରି ଗାଇଡ୍‌ଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭୟଭୀତ ହେବାର କାରଣ ନାହିଁ କେବଳ କରୋନା ନିୟମର ପାଳନ କରନ୍ତୁ ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି କି ଆମେ ଚୀନ୍‌ରେ ବ୍ୟାପୁଥିବା ଶ୍ୱାସ ସମ୍ବନ୍ଧୀୟ ରୋଗର ଭୟାବହତାକୁ ଦେଖି ଦେଶର ସମସ୍ତ ଭାଗ ଉପରେ ତୀକ୍ଷ୍ଣ ନଜର ରଖିଛୁ । କିନ୍ତୁ ସରକାର ଏହି ମାମଲାରେ କୌଣସି ପ୍ରକାର ଚେତାବନୀ ଜାରି କରିନାହାନ୍ତି । କିନ୍ତୁ କୋଭିଡ୍ ୧୯ ସମୟର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କରୋନା ସମୟ ପରି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଓ ରାଜ୍ୟମାନଙ୍କ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଚୀନ୍‌ରେ ଏବେ ଏକ ରହସ୍ୟମୟ ନିମୋନିଆ ରୋଗ କାୟା ବିସ୍ତାର କରିବାରେ ଲାଗିଛି । ଏହି ରୋଗ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ବେଶୀ ପ୍ରଭାବ ପକାଉଛି । ରାଜଧାନୀ ବେଜିଂ ସହିତ ଚୀନର ଉତ୍ତର ଭାଗରେ ଏହି ରୋଗ ବେଶୀ ବ୍ୟାପିବାରେ ଲାଗିଛି ।