fbpx

ପ୍ରବାସୀ ଭାରତୀୟ ହେଉଛନ୍ତି ଭାରତୀୟ ସଭ୍ୟତାର ଅବିଚ୍ଛେଦ୍ୟ ଅଙ୍ଗ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଇନ୍ଦୋରରେ ମଙ୍ଗଳବାର ଆୟୋଜିତ ୧୭ତମ ‘ପ୍ରବାସୀ ଭାରତୀୟ ଦିବସ ୨୦୨୩’ ସମ୍ମିଳନୀର ଉଦଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟଙ୍କ ସହ ମିଳିତ ଭାବରେ ଭାରତକୁ ଏକ ଦାୟିତ୍ୱବାନ ଦେଶ ଭାବରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି ।

ଦେଶର ମାନବ ସମ୍ବଳର ଦକ୍ଷତା ଏବଂ ଗତିଶୀଳତା ବୃଦ୍ଧି ତଥା ମାନବତାର ସେବା ପାଇଁ ଏକ ନୂତନ ଭାରତୀୟ ମଡେଲ ସୃଷ୍ଟି କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଆମର ପ୍ରବାସୀ ଭାରତୀୟ, ଭାରତୀୟ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦେଶର ବୃହତ ଯାତ୍ରାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଆମ ଦେଶରେ ଥିବା ମାନବ ସମ୍ବଳ ପରିଶ୍ରମୀ, ସଚ୍ଚୋଟ ଓ ଦାୟିତ୍ୱବାନ । କୁଶଳୀ ମାନବ ଶକ୍ତିର ବୈଶ୍ୱିକ ପେଣ୍ଠସ୍ଥଳୀ ଭାବରେ ଭାରତ ଉଭା ହୋଇପାରିବ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେବା ପାଇଁ ଜାତୀୟ ଶିକ୍ଷା ନୀତି -୨୦୨୦ ଏବଂ ନୂତନ ଦକ୍ଷତା ବିକାଶ ମାଧ୍ୟମରେ ଏକ ସରଳ ମଡେଲ ସହ ମଲଟିପଲ ଏଣ୍ଟ୍ରି- ମଲଟିପଲ ଏକ୍ସିଟ ଓ ସ୍କିଲିଂ ମାର୍ଗର ପରିକଳ୍ପନା କରାଯାଇଛି । ପ୍ରଥମ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଦକ୍ଷତା କ୍ଷେତ୍ରରେ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଯୋଡାଯିବାର ବ୍ୟବସ୍ଥା ହୋଇଛି ।

ସାମ୍ପ୍ରତିକ ସମୟରେ ପ୍ରଯୁକ୍ତିବିଦ୍ୟା ନୂଆ ସୁଯୋଗ ତିଆରି କରୁଛି । ସ୍କିଲିଂ ହେଉଛି ଜୀବନବ୍ୟାପୀ ଶିକ୍ଷା ଆହରଣର ଏକ ପ୍ରକ୍ରିୟା । ଟେକ୍ନୋଲୋଜି ଆମ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରହି ସମଗ୍ର ବିଶ୍ୱକୁ ଦେଖିବାର ସୁଯୋଗ ଦେଉଛି । ପ୍ରବାସୀ ଭାରତୀୟଙ୍କ ଉପରେ ପ୍ରଧାନମନ୍ତ୍ରୀ ଆସ୍ଥାପ୍ରକଟ କରିଛନ୍ତି । ଆମର ପ୍ରବାସୀ ଭାରତୀୟମାନେ କେବଳ ରୋଜଗାର କରିବା ଏବଂ ଆର୍ଥିକ ସୁଯୋଗ ମିଳିବାର ଲକ୍ଷ୍ୟରେ ନ ରହି ମାନବତାର ସେବା ପାଇଁ ଆଗେଇ ଆସିବା ଦରକାର ।

ଦେଶର ୩ କୋଟି ୨୦ ଲକ୍ଷ ଶକ୍ତିଶାଳୀ ପ୍ରବାସୀ ଭାରତୀୟ ଦେଶକୁ ବିଶ୍ୱ ପରିବାରର ସେବା କରିବା ପାଇଁ ନିଜର ଅଭିଜ୍ଞତାକୁ ବ୍ୟବହାର କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତି କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି ସମ୍ମିଳନୀରେ କୁଏତ ଏବଂ ମୋରିସିୟସ ଏବଂ ବିଭିନ୍ନ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ସାକ୍ଷାତ୍ ସହ ଆଲୋଚନା କରିଥିଲେ ।

Get real time updates directly on you device, subscribe now.