fbpx

ସାଧାରଣ ଜନତା, ଯବାନ ଓ…. ରାଷ୍ଟ୍ରପତି: ସମସ୍ତଙ୍କ ଗାଡ଼ିର ନମ୍ବର ପ୍ଲେଟ ଅଲଗା କାହିଁକି, ୭ଟି ରଙ୍ଗକୁ ନେଇ ଜାଣନ୍ତୁ ଭାରତୀୟ ନିୟମ

ନୂଆଦିଲ୍ଲୀ: ଆପଣମାନେ ରାସ୍ତାଘାଟରେ ଚାଲୁଥିବା ଗାଡ଼ିରେ କଳା, ହଳଦିଆ, ନୀଳ, ସବୁଜ ଆଦି ବିଭିନ୍ନ ରଙ୍ଗର ନମ୍ବର ପ୍ଲେଟ୍ ଦେଖିଥିବେ । ସାଧାରଣ ନାଗରିକ, ଯବାନଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଗାଡ଼ିରେ ଅଲଗା ଅଲଗା ରଙ୍ଗର ନମ୍ବର ପ୍ଲେଟ୍ ରହିଥାଏ । ତେବେ ନମ୍ବର ପ୍ଲେଟ ଅଲଗା ରଙ୍ଗର ହେବା ପଛର କାରଣ କ’ଣ? ଏହା ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଛି ।

ଯେ କୌଣସି ଯାନ ପାଇଁ ନମ୍ବର ପ୍ଲେଟ୍୍ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ନମ୍ବର ପ୍ଲେଟକୁ ନେଇ ଭାରତରେ କିଛି ନିୟମ ରହିଛି । ବିଭିନ୍ନ ଗାଡ଼ିର ରେଜିଷ୍ଟ୍ରେସନ ପ୍ଲେଟର ସାଇଜଠାରୁ ଆରମ୍ଭ କରି ଏହାର ରଙ୍ଗ ଭିନ୍ନ ହୋଇଥାଏ । ନମ୍ବର କେବଳ ରେଜିଷ୍ଟ୍ରେସନ ସହ ଜଡ଼ିତ ତଥ୍ୟ ପ୍ରଦାନ କରେ ନାହିଁ, ଯାନଟି କେଉଁ ବ୍ୟକ୍ତିବିଶେଷଙ୍କର, କେଉଁ ବିଭାଗର ଓ କେଉଁ ଶ୍ରେଣୀର ତାହା ମଧ୍ୟ ଦର୍ଶାଇଥାଏ ।

୧- ଧଳା ରଙ୍ଗ: ଧଳା ବ୍ୟାକଗ୍ରାଉଣ୍ଡ ଥିବା ନମ୍ବର ପ୍ଲେଟ୍ ପ୍ରାଇଭେଟ ବାହନ ପାଇଁ ବ୍ୟବହାର କରାଯାଇଥାଏ । ଜଣଙ୍କର ବ୍ୟକ୍ତିଗତ କାର, ମୋଟରସାଇକେଲ, ସ୍କୁଟର ଆଦିରେ ଧଳା ବ୍ୟାକଗ୍ରାଉଣ୍ଡ ଥାଇ କଳା ରଙ୍ଗରେ ରେଜିଷ୍ଟ୍ରେସନ ନମ୍ବର ଲେଖାଯାଇଥାଏ । ସମସ୍ତ ଘରୋଇ ତଥା ବ୍ୟକ୍ତିଗତ ଯାନମାନଙ୍କରେ ଏହା ଦେଖିବାକୁ ମିଳିଥାଏ ।

୨- ହଳଦିଆ ରଙ୍ଗ: ବ୍ୟବସାୟିକ ଯାନ ପାଇଁ ହଳଦିଆ ରଙ୍ଗ ବ୍ୟବହାର କରାଯାଇଥାଏ । ବସ, ଟ୍ରକ, ଟ୍ୟାକ୍ସିରେ ବ୍ୟାକଗ୍ରାଉଣ୍ଡ ରଙ୍ଗ ହଳଦିଆ ଥାଇ କଳା ରଙ୍ଗରେ ରେଜିଷ୍ଟ୍ରେସନ ନମ୍ବର ଲେଖାଯାଇଥାଏ ।

୩- ସବୁଜ ରଙ୍ଗ: ସବୁଜ ରଙ୍ଗର ନମ୍ବର ପ୍ଲେଟ ବୈଦ୍ୟୁତିକ ଯାନ ପାଇଁ ବ୍ୟବହାର କରାଯାଇଥାଏ । ସବୁଜ ରଙ୍ଗର ବ୍ୟାକଗ୍ରାଉଣ୍ଡ ଉପରେ ସାଫ୍ରନ ରଙ୍ଗରେ ରେଜିଷ୍ଟ୍ରେସନ ନମ୍ବର ଲେଖାଯାଇଥାଏ ।

୪- ଲାଲ ରଙ୍ଗ: ଯେଉଁ ଗାଡ଼ିର ଅସ୍ଥାୟୀ ପଞ୍ଜିକରଣ ହୋଇଥାଏ ବା ଯେଉଁ ଗାଡ଼ିକୁ ଟେଷ୍ଟିଂ କରାଯାଇଥାଏ, ସେ କ୍ଷେତ୍ରରେ ଲାଲ ରଙ୍ଗର ନମ୍ବର ପ୍ଲେଟ୍ ବ୍ୟବହାର କରାଯାଇଥାଏ ।

ଏଥିସହିତ ଲାଲ ରଙ୍ଗର ନମ୍ବର ପ୍ଲେଟକୁ ରାଷ୍ଟ୍ରୀୟ ପ୍ରତୀକ କୁହାଯାଇଥାଏ । ଯେଉଁ ଯାନର ମାଲିକାନା କେନ୍ଦ୍ର ବା କୌଣସି ରାଜ୍ୟ ସରକାରଙ୍କ ଅଧିନରେ ରହିଥାଏ ସେହି ଯାନରେ ଲାଲ ରଙ୍ଗ ବ୍ୟବହାର କରାଯାଇଥାଏ । ଉଚ୍ଚ ପଦସ୍ଥ ଅଧିକାରୀ, ରାଜନୈତିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଏହି ରଙ୍ଗ ବ୍ୟବହାର କରିଥାନ୍ତି ।

୫- ତୀର ସହିତ ସଂଖ୍ୟା: ଯେଉଁ ନମ୍ବର ପ୍ଲେଟରେ ତୀର (ଆରୋ) ଚିହ୍ନ ରହିଥାଏ, ତାହା ସେନା ଗାଡ଼ି ବୋଲି ଜାଣିବାକୁ ପଡ଼ିବ । ଏହି ଚିହ୍ନ କେବଳ ସେନା ଗାଡ଼ି ପାଇଁ ବ୍ୟବହାର କରାଯାଇଥାଏ । ସ୍ଥଳସେନା, ବାୟୁସେନା, ନୌସେନା ଓ ଭାରତୀୟ ସଶସ୍ତ୍ର ବଳଙ୍କ ଶାଖା ସଦସ୍ୟଙ୍କ ଗାଡ଼ିରେ ଏହି ଚିହ୍ନ ରହିଥାଏ ।

୬- ନୀଳ ରଙ୍ଗ: ଦୂତାବାସ ବା କନସୁଲେଟ ଆଦି ବୈଦେଶିକ କୂଟନୈତିକ ମିଶନର ଗାଡ଼ି ପାଇଁ ନୀଳ ରଙ୍ଗର ନମ୍ବର ପ୍ଲେଟ୍ ବ୍ୟବହାର କରାଯାଇଥାଏ । ଅନ୍ତର୍ଜାତୀୟ ନିୟମ ଆଧାରରେ ନୀଳ ଲାଇସେନ୍ସ ପ୍ଲେଟ ଥିବା କାରକୁ କିଛି ଅଧିକାର ଓ ସୁରକ୍ଷା ମିଳିଥାଏ ।

୭- କଳା ରଙ୍ଗ: ବ୍ୟବସାୟିକ ଯାନ ପାଇଁ କଳା ରଙ୍ଗର ନମ୍ବର ପ୍ଲେଟ ବ୍ୟବହାର କରାଯାଇଥାଏ । ଯେଉଁମାନେ ନିଜେ ଡ୍ରାଇଭିଂ କରନ୍ତି ସେମାନଙ୍କୁ ଏହି ଗାଡ଼ି ଦିଆଯାଇଥାଏ । କିଛି ରାଜ୍ୟରେ କଳା ରଙ୍ଗର ନମ୍ବର ପ୍ଲେଟର ଉପଯୋଗ ବାଣିଜ୍ୟିକ ଗାଡ଼ି, ଟ୍ରକ ଓ ବସରେ ମଧ୍ୟ କରାଯାଇଥାଏ ।

Get real time updates directly on you device, subscribe now.