fbpx

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଟିମ ଘୋଷଣା: ଧୱନଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ: ଟି-୨୦ ସିରିଜ ପରେ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଏହି ସିରିଜ ପାଇଁ ରୋହିତଙ୍କ ବଦଳରେ ଶିଖର ଧୱନଙ୍କୁ ମିଳିଛି ନେତୃତ୍ୱ । ଏହାସହ ଟି-୨୦ ଦଳ ମଧ୍ୟ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି । ଧୱନଙ୍କୁ ଦଳର ଅଧିନାୟକ ପଦ ମିଳିଥିବା ବେଳେ କେ.ଏଲ ରାହୁଲଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ମିଳିଛି ଉପଅଧିନାୟକ ପଦ । ତେବେ ଏହି ଦଳ ପାଇଁ ଅନେକ ନୂଆ ଚେହେରା ସୁଯୋଗ ମିଳିପାରିବ ।

ଆସନ୍ତା ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ବରିଷ୍ଠ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ କରିବେ । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ବିଶ୍ୱକପ ଦଳର ଅଧିକାଂଶ ଖେଳାଳିଙ୍କୁ ବାଦ ଦିଆଯାଇଛି । ତେବେ କେବଳ ଷ୍ଟାଣ୍ଡବାଏରେ ରହିଥିବା ଶ୍ରେୟସ ଆୟର, ରବି ବିଷ୍ଣୋଇ ଏବଂ ଦୀପକ ଚହରଙ୍କୁ ଏହି ଦଳରେ ସାମିଲ କରିଛି ବିସିସିଆଇ । ଏଥିସହ ଅନେକ ନୂଆ ଚେହେରାଙ୍କୁ ଏହି ସିରିଜ ପାଇଁ ବିସିସିଆଇ ସୁଯୋଗ ଦେଇଛି ।

ଅଧିନାୟକ ଭାବରେ ଶିଖର ଧୱନ ଦଳକୁ କମବ୍ୟାକ କରୁଥିବା ବେଳେ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଏବଂ ସଞ୍ଜୁ ସାମସନ ମଧ୍ୟ ଟିମକୁ ଫେରୁଛନ୍ତି । ଏହାସହିତ ଶ୍ରେୟସ ଆୟର ଲଗାତାର ଦଳ ସହ ଯୋଡି ହୋଇ ରହିଥିଲେ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ । ତେଣୁ ଏହି ସିରିଜରେ ତାଙ୍କୁ ମଧ୍ୟ ପୁଣିଥରେ ସୁଯୋଗ ମିଳିବ । ସେହିପରି ରାହୁଲ ତ୍ରିପାଠୀ, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର ଏବଂ କୁଳଦୀପ ଯାଦବ ପୁଣିଥରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ।

ଏହାବ୍ୟତୀତ କିଛି ନୂଆ ଚେହେରାଙ୍କୁ ଏହି ସିରିଜରେ ଦେଖିବାକୁ ମିଳିବ । ବିଶେଷ କରି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବୋଲର ମୁକେଶ କୁମାର ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ରଜତ ପଟୀଦାରଙ୍କ ଉପରେ ରହିଛି ବିସିସିଆଇର ନଜର । ସେହିପରି ରବି ବିଷ୍ଣୋଇ, ଶୁଭମନ ଗିଲ, ମହମ୍ମଦ ସିରାଜ ଏବଂ ଶହବାଜ ଅହମଦଙ୍କୁ ଭାରତର ରେଗୁଲାର ଅଂଶ ହେବା ପାଇଁ ଭଲ ସୁଯୋଗ ଦେବ ଏହି ସିରିଜ ।

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:

ଶିଖର ଧୱନ(ଅଧିନାୟକ), ଶ୍ରେୟସ ଆୟର(ଉପଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶାନ, ସଞ୍ଜୁ ସାମସନ(ୱିକେଟ କିପର), ଶହବାଜ ଅହମଦ, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ରବି ବିଷ୍ଣୋଇ, ମୁକେଶ କୁମାର, ଆଭେଶ ଖାନ, ମହମ୍ମଦ ସିରାଜ, ଦୀପକ ଚହର

Get real time updates directly on you device, subscribe now.