ଟିମ୍ ଇଣ୍ଡିଆ ନିରାଶ: ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଲା ଭାରତୀୟ ମହିଳା ଟିମ୍, ନ୍ୟୁଜିଲାଣ୍ଡ ସେମିରେ

ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପରୁ ଆସିଛି ଏକ ନୈରାଶ୍ୟଜନକ ଖବର । ଗତକାଲି ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଭାରତର ସେମି ଖେଳିବା ଆଶା ମଉଳି ଯାଇଥିବା ବେଳେ ଆଜି ଭାରତ ବିଶ୍ୱକପରୁ ବାଦ୍ ପଡ଼ିଛି । ଆଜିର ମ୍ୟାଚରେ ଯଦି ପାକିସ୍ତାନ ଜିତିଥାନ୍ତା ତେବେ ରନରେଟ୍ ଆଧାରରେ ଭାରତ ପାଇଁ କିଛିଟା ସୁଯୋଗ ରହିଥିଲା । ମାତ୍ର ପାକିସ୍ତାନ ଆଜି ନ୍ୟୁଜିଲାଣ୍ଡ ଠାରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବା ପରେ ଭାରତର ସବୁ ଆଶା ଧୂଳିସାତ ହୋଇଯାଇଛି । ପାକିସ୍ତାନକୁ ୫୪ ରନରେ ପରାସ୍ତ କରିବା ସହ ନ୍ୟୁଜିଲାଣ୍ଡ ଗ୍ରୁପ-ଏ’ର ଦ୍ୱିତୀୟ ଟିମ୍ ଭାବେ ସେମିରେ ପ୍ରବେଶ କରିଛି । ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟେ ୪ ପଏଣ୍ଟ ଲେଖାଏଁ ହାସଲ କରିଥିଲେ ।

ଆଜି ପାକିସ୍ତାନ ଜିତିଥିଲେ ଭାରତ ପାଇଁ କିଛିଟା ଆଶ୍ୱସ୍ତି ରହିଥିଲା, ମାତ୍ର ସେଥିରେ ଭାରତକୁ ଲାଗିଛି ବଡ଼ ଝଟକା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା । କମ୍ ସ୍କୋର କାରଣରୁ ପାକିସ୍ତାନ ଏହି ମ୍ୟାଚ ଜିତିଯିବ ବୋଲି ଅନେକ କ୍ରୀଡ଼ାପ୍ରେମୀ ଆଶା କରିଥିଲେ । ମାତ୍ର ଘଟିଥିଲା ପୂରା ଓଲଟା । ୧୧.୪ ଓଭରରେ ମାତ୍ର ୫୬ ରନରେ ପାକିସ୍ତାନ ଅଲଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଆମେରିଆ କେର ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.