ବାଡମେର : ଦୀର୍ଘ ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା। ଏବେ ନିଜ ଜମିରେ ଚାଷ କରି ପାରିବେ କୃଷକ। ହଳଲଙ୍ଗଳ ଏବଂ କୃଷକଙ୍କ ଶବ୍ଦରେ ଗୁଞ୍ଜି ଉଠିବ ସୀମା। ଭାରତ-ପାକିସ୍ତାନ ସୀମାରେ ତାରବାଡର ଅପର ପାର୍ଶ୍ଵରେ ଥିବା ଜମିରେ ପଞ୍ଜାବର କୃଷକ ଅନେକ ବର୍ଷ ଧରି ଚାଷ କରି ଆସୁଛନ୍ତି। ମାତ୍ର ଏହି ହକ୍ରୁ ବଞ୍ଚିତ ହୋଇ ଆସୁଥିବା ରାଜସ୍ଥାନର କୃଷକଙ୍କୁ ଶେଷରେ ନିଜ ଜମିରେ ଚାଷ କରିବାର ଅଧିକାର ମିଳିଛି। ରାଜ୍ୟର ବାଡମେରର କୃଷକ ଏବେ ଦେଶର ସୀମା ଅତିକ୍ରମ କରି ଚାଷ କରି ପାରିବେ। ସୀମା ସୁରକ୍ଷା ବଳ ଏଥିପାଇଁ ନିଜର ପ୍ରସ୍ତୁତି ପୂରା କରି ସାରିଛନ୍ତି।
୧୯୯୨ରେ ଦିଆଯାଇଥିାଲ ତାରବାଡ
ସୀମାରେ ସ୍ଥିତ ବାଡମେରରେ ବିଏସଏଫଙ୍କ ଉଦ୍ୟମକ୍ରମେ ୨୮ ବର୍ଷ ପରେ ଭାରତ-ପାକିସ୍ତାନ ସୀମାରେ ତାରବାଡ ଓ ଜିରୋ ପଏଣ୍ଟ ମଧ୍ୟରେ ଫସିଥିବା ଜମିରେ ଚାଷ କରିବାକୁ ହଜାର ହଜାର କୃଷକଙ୍କୁ ନିଜର ଅଧିକାର ମିଳିଛି। ରାଜସ୍ଥାନରେ ୧୯୯୨ ମସିହାରେ ଆରମ୍ଭ ହୋଇଥିବା ତାରବାଡ ଯୋଗୁଁ ହଜାର ହଜାର କୃଷକଙ୍କ ଜମି ଜିରୋ ପଏଣ୍ଟ ଏବଂ ତାରବାଡ ମଧ୍ୟରେ ଫସି ଯାଇଥିଲା। ଏବେ ବିଏସଏଫ କୃଷକଙ୍କ ସେମାନଙ୍କ ଜମି ଉପରେ ଚାଷ କରିବାକୁ ଅନୁମତି ଦେଇଛନ୍ତି। ତେଣୁ ବିଏସଏଫ ପକ୍ଷରୁ ନୂତନ ଗେଟ୍ ମଧ୍ୟ ତିଆରି କରାଯାଇଛି। ଭାରତ ପାକିସ୍ତାନ ବର୍ଡରରେ ତାରବାଡରେ ଲାଗିଥିବା ଗେଟ୍ ଏବେ ଖୋଲିବ ଏବଂ କୃଷକ ବିଏସଏଫ ପକ୍ଷରୁ ଜାରି ନିଜର ପରିଚୟ ପତ୍ର ଦେଖାଇ ଚାଷ ପାଇଁ ଯାଇ ପାରିବେ।
ଟ୍ୟୁବ୍ ଓ୍ଵେଲରେ ମଧ୍ୟ କରାଯାଇ ପାରିବ ଚାଷ
ବଡ କଥା କେବଳ ବର୍ଷା ଦିନିଆ ଚାଷ ନୁହେଁ ବରଂ ଟ୍ୟୁବ୍ଓ୍ଵେଲ୍ ମାଧ୍ୟମରେ ଚାଷ ପାଇଁ ତାରବାଡ ଭିତରକୁ ପାଇପ୍ ଲାଇନ୍ ମଧ୍ୟ ଯାଇ ପାରିବ। ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ଏହି ଅଞ୍ଚଳରେ ଚାଷ ପାଇଁ ଯିବା ଏବଂ ଫେରିବା ସମୟରେ କୃଷକଙ୍କ ଉପରେ କଡା ନଜର ରଖାଯିବ ଏବଂ ସେମାନଙ୍କର ଯାଞ୍ଚ କରାଯିବ । ପଞ୍ଜାବ ପରି ଏବେ ରାଜସ୍ଥାନର ବେରା, ସାରଲା ଅଞ୍ଚଳରେ କୃଷକଙ୍କୁ ଚାଷ କରିବା ପାଇଁ ଗେଟ୍ ଖୋଲିବାକୁ ଅନୁମତି ଦିଆଯାଇଛି।
ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନୁମତି
ମିଳିଥିବା ସୂଚନା ଅନୁଯାୟୀ, ବିଏସଏଫ ଦ୍ଵାରା ଜାରି ପାସ୍ ଦେଖାଇ ସକାଳ ୯ଟାରୁ ଚାଷୀଙ୍କୁ ପ୍ରବେଶ ଅନୁମତି ମିଳିବ। ସନ୍ଧ୍ୟା ୫ଟାରେ କାଡ ଯାଞ୍ଚ ପରେ ଚାଷୀ ଘରକୁ ଫେରିବେ। ସୀମାରେ ତାରବାଡ ମଧ୍ୟରେ ୮ ଘଣ୍ଟା ଚାଷ ପାଇଁ ଅନୁମତି ରହିଛି। ମହିଳାଙ୍କୁ ମହିଳା ଯବାନ ଯାଞ୍ଚ କରିବେ। ବର୍ଡରରେ ତାରବାଡରେ ପ୍ରତି ୪ ରୁ ୫ କିଲୋମିଟର ମଧ୍ୟରେ ଏକ ଗେଟ୍ ରହିଛି। ଏବେ କୃଷକଙ୍କ ପାଇଁ ଗେଟ୍ ଖୋଲିବାରୁ ଦୀର୍ଘ ୨୮ ବର୍ଷ ପରେ କୃଷକ ନିଜ ଜମିରେ ଚାଷ କରି ପାରିବେ।