fbpx

ଶକ୍ତିଶାଳୀ ହେବ ଗ୍ରାମ୍ୟ ଅର୍ଥନୀତି: ରାଜ୍ୟର ୮୨ଟି ବ୍ଲକରେ ନିର୍ମାଣ ହେବ ଶିଳ୍ପ ପାର୍କ, ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାମ୍ୟ ଅର୍ଥନୀତିର ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାର ଗ୍ରାମାଞ୍ଚଳ ବାସିନ୍ଦାଙ୍କ ପାଇଁ ଅନେକ ଯୋଜନା ହାତକୁ ନେଉଛନ୍ତି । ତେବେ ଗ୍ରାମାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବା, ଲୋକଙ୍କୁ ସହରାଞ୍ଚଳ ସୁବିଧା ଯୋଗାଇବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ୮୨ଟି ଶିଳ୍ପପାର୍କ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ସୂଚନା ମୁତାବକ, ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିକଟକୁ ପତ୍ର ଲେଖି ଅବଗତ କରାଯାଇଛି । ଗ୍ରାମାଞ୍ଚଳରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବା ଫଳରେ ମହିଳାମାନେ କର୍ମସଂସ୍ଥାନ ପାଇବା ସହିତ ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳଳୀ ହୋଇପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସାଧାରଣ ଉଦ୍ୟୋମୀ ଓ କୃଷି ଉତ୍ପାଦନକାରୀ ସଂଗଠନ ଶିଳ୍ପ ପାର୍କରେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି । ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀର ବିକ୍ରି ପାଇଁ ସ୍ୱତନ୍ତ୍ର ମାର୍କେଟ ସୃଷ୍ଟି କରାଯିବ ।

ତେବେ ଏହି ଶିଳ୍ପ ପାର୍କ ପାଇଁ ଜିଲ୍ଲା ପ୍ରଶାସନ ଜାଗା ଚିହ୍ନଟ ପାଇଁ ସହଯୋଗ କରିବ । ପ୍ରତି ଶିଳ୍ପ ପାର୍କ ପାଇଁ ୩-୧୦ ଏକର ପର୍ଯ୍ୟନ୍ତ ସ୍ଥାନ ରଖାଯିବ । ପାର୍କ ପାଇଁ ରାସ୍ତା, ବିଦ୍ୟୁତ, ପାଣି ଆଦି ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ । ଏଥିରେ କାର୍ଯ୍ୟ ପାଇବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିର୍ଦ୍ଦିଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁଯୋଗ ‘ମିଶନ କ୍ଷମତା’ ରହିଛି । କେଉଁ ଅଞ୍ଚଳରେ କେଉଁ ସାମଗ୍ରୀ ବିକ୍ରି ହେବ ତାହା ଗ୍ରାମସଭା ସ୍ଥିର କରିବ । ଶିଳ୍ପ ପାଇଁ ପାଇଁ ପ୍ରତି ବ୍ଲକକୁ ‘ଓରମାସ’ ପକ୍ଷରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଓ ବ୍ଲକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ । ପର୍ଯ୍ୟାୟକ୍ରମେ ସରକାର ଏହାର ସମୀକ୍ଷା କରିବେ ।

Get real time updates directly on you device, subscribe now.