fbpx

ଅନ୍ତବସ୍ତ୍ର ପିନ୍ଧିଥିଲେ NEEG UG ପରୀକ୍ଷା ଦେଇ ପାରିବେ ନାହିଁ: ଛାତ୍ରୀଙ୍କ ପ୍ରତି ଏପରି ବ୍ୟବହାର କ’ଣ ଠିକ୍, କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଗତ ୭ ତାରିଖରେ ମଣିପୁରକୁ ଛାଡ଼ି ସାରା ଦେଶରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) ୟୁଜି ୨୦୨୩ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ପାଖାପାଖି ୨୧ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ ତାମିଲନାଡ଼ୁରେ ୧.୫ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତେବେ ଏହି ପରୀକ୍ଷା ସମାପ୍ତ ହେବା ପରେ ଚେନ୍ନାଇର ଏକ ପରୀକ୍ଷା କେନ୍ଦ୍ରକୁ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ମହିଳା ସାମ୍ବାଦିକାଙ୍କ ଏକ ଟ୍ୱିଟ ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା ।

ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ର ବାହାରେ ଜଣେ ଛାତ୍ରୀ ମନଦୁଃଖରେ ବସିବା ସହ ସେ ଲଜ୍ଜ୍ୟା ଅନୁଭବ କରୁଥିଲେ । ସେ ଏକ ବହି ଧରି ଲୁଚିବା ଭଳି ବସି ତାଙ୍କ ପରିଜନଙ୍କୁ ଅପେକ୍ଷା କରି ରହିଥିଲେ । ତେବେ ସାମ୍ବାଦିକା ଜଣଙ୍କ ଏହାର କାରଣ ଛାତ୍ରୀଙ୍କୁ ପଚାରିଥିଲେ । ତେବେ ପରୀକ୍ଷା ଦେବା ସମୟରେ ବ୍ରା ବା ଅନ୍ତବସ୍ତ୍ର ପିନ୍ଧିବାକୁ ମନା କରାଯାଇଥିଲା ବୋଲି ଛାତ୍ରୀ ଜଣଙ୍କ କହିଥିଲେ । ତେଣୁ ପରୀକ୍ଷା କେନ୍ଦ୍ରରେ ଅନ୍ତବସ୍ତ୍ର ପିନ୍ଧିବା ଅନୁମତି ଅଛି ନା ନାହିଁ ବୋଲି ସାମ୍ବାଦିକା ଜଣଙ୍କ ଟ୍ୱିଟ କରିଥିଲେ ।

ପରିସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ସାମ୍ବାଦିକା ଜଣଙ୍କର ନିଜର ଟ୍ୱିଟକୁ ଡିଲିଟ୍ କରିବାକୁ ବାଧ୍ୟ ହୋଇଥିଲେ । ତେବେ ପାଖାପାଖି ଅଧା ଛାତ୍ରୀ ଅନ୍ତବସ୍ତ୍ର ପରିଧାନ କରିନଥିବା ଜଣାପଡ଼ିଥିଲା । ତେବେ ଏହି ମାମଲାରେ ରାଜ୍ୟ ଶିକ୍ଷାମନ୍ତ୍ରୀ ନିଜର ବୟାନ ରଖିଥିଲେ । ଏପରି ଗତିବିଧିକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପୂର୍ବରୁ ବିରୋଧ କରିଆସୁଛନ୍ତି । ନିଟ ପରୀକ୍ଷା ରାଜ୍ୟ ସରକାର ଆୟୋଜନ କରନ୍ତି ନାହିଁ । ଛାତ୍ରୀଙ୍କର ହେୟାର ପିନ ଓ ଡ୍ରେସ ଖୋଲି ଯାଞ୍ଚ କରାଯିବା ନିହାତି ନିନ୍ଦନୀୟ ବୋଲି ମନ୍ତ୍ରୀ କହିଥିଲେ । ଅନ୍ୟପକ୍ଷରେ ଏହି ଘଟଣାରେ ପରୀକ୍ଷା ଆୟୋଜନ କରୁଥିବା ସଂଗଠନର କୌଣସି ଭୂମିକା ନାହିଁ ବୋଲି ବିଜେପି ପ୍ରବକ୍ତା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନିଟ୍ ପରୀକ୍ଷା ସମୟରେ କେରଳର କନ୍ନୁରରେ ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିଲା । ତେଣୁ ଏହି ଘଟଣାରେ ୪ ଜଣ ଟିଚରଙ୍କୁ ସ୍କୁଲ ପ୍ରଶାସନ ନିଲମ୍ବିତ କରିଦେଇଥିଲା । ଗତବର୍ଷ ମଧ୍ୟ ନିଟ୍ ପରୀକ୍ଷା ମଧ୍ୟରେ ଅନ୍ତବସ୍ତ୍ର ଖୋଲିବାକୁ ନେଇ ବିବାଦ ସୃଷ୍ଟି ହେବା ସହ କିଛି ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଥିଲା । ତେବେ ଛାତ୍ରଛାତ୍ରୀମାନେ କୌଣସି ମେଟାଲିକ୍ ଅବଜେକ୍ଟ ବା ଧାତବ ବସ୍ତୁ ପରିଧାନ କରିଥିଲେ ପରୀକ୍ଷା ଦେବାକୁ ଅନୁମତି ନାହିଁ । ଏହାକୁ ଆଣ୍ଟିଚିଟିଂ ଭାବେ ଗଣାଯାଇଥାଏ । ତେବେ ଅନ୍ତବସ୍ତ୍ର ନ ଖୋଲିଲେ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ଛାତ୍ରୀଙ୍କୁ କୁହାଯାଇଥିଲା । ଏନେଇ ଅନେକ ଅଭିଭାବକ ପୋଲିସରେ ଅଭିଯୋଗ ଦାୟର ମଧ୍ୟ କରିଛନ୍ତି । ତେଣୁ ଏହି ବିବାଦର ସମାଧାନର ବାଟ ଖୋଜିବା ନିହାତି ଜରୁରୀ ।

Get real time updates directly on you device, subscribe now.