Internet ଉପରେ ଲାଗିଲା ବ୍ୟାନ୍ ଆଦେଶ: କାହିଁକି ସରକାର ନେଲେ ବଡ଼ ପଦକ୍ଷେପ?

ନୂଆଦିଲ୍ଲୀ: ବର୍ତ୍ତମାନ ମୁହୂର୍ତ୍ତରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛି । ପ୍ରତ୍ୟେକ ଛୋଟ-ବଡ଼ କାମ ପାଇଁ ଇଣ୍ଟରନେଟର ବ୍ୟବହାର ଆବଶ୍ୟକ ହୋଇପଡ଼ିଛି । ଇଣ୍ଟରନେଟ ବିନା ଅଧିକାଂଶ କାମ ଶେଷ କରିବା ଅସମ୍ଭବ କହିଲେ ଭୁଲ ହୋଇ ନ ପାରେ । କିନ୍ତୁ ଯଦି ଏହି ଇଣ୍ଟରନେଟକୁ ବ୍ୟାନ୍ କରି ଦିଆଯାଏ, ତେବେ କ’ଣ ହେବ? ଏହି ପ୍ରଶ୍ନ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ । ଲଗାତାର ୭ ଘଣ୍ଟା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ସରକାର । ଆସାମରେ ୭ ଘଣ୍ଟା ପାଇଁ ସରକାର ଇଣ୍ଟରନେଟକୁ ବ୍ୟାନ୍ କରିଛନ୍ତି । ଏକ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ, ଆସାମର ଚତୁର୍ଥ ଶ୍ରେଣୀ ସରକାରୀ ପଦରେ ନିଯୁକ୍ତି ପାଇଁ ଆଜି ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ପରୀକ୍ଷା ପାଇଁ ସାରା ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାକୁ ବ୍ୟାନ୍ କରାଯାଇଛି । ରାଜ୍ୟବ୍ୟାପୀ ମୋବାଇଲ ଇଣ୍ଟରନେଟ ସେବା ୭ ଘଣ୍ଟା ପାଇଁ ନିଲମ୍ବନ କରାଯାଇଛି । ସକାଳ ସାଢେ ୮ଟା ସମୟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତସମଗ୍ର ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଗତ ୨ ମାସ ଭିତରେ ଆଜି ତୃତୀୟ ଥର ପାଇଁ ମୋବାଇଲ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିଲା । ଏ ନେଇ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ଏଥିରେ କୁହାଯାଇଛି ଯେ, “ସ୍ୱତନ୍ତ୍ର, ନିଷ୍‌ପକ୍ଷ ଏବଂ ପାରଦର୍ଶୀ ଲିଖିତ ପରୀକ୍ଷା ଆୟୋଜିତ କରାଇବା ତଥା ସାର୍ବଜନିକ ସୁରକ୍ଷା ଉପରେ ପ୍ରଭାବ ପକାଉଥିବା କାନୁନ ବ୍ୟବସ୍ଥା ସମ୍ବନ୍ଧୀୟ ଘଟଣାକୁ ରୋକିବା” ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ମୋବାଇଲ ଇଣ୍ଟରନେଟ, ୱାଇ-ଫାଇ ଏବଂ ମୋବାଇଲ ଡାଟା ସକାଳ ସାଢେ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।
ତେବେ ଏହି ସମୟରେ ଟେଲିଫୋନ୍ ଲାଇନରେ ‘ବ୍ରଡବ୍ୟାଣ୍ଡ କନେକ୍ଟିଭିଟି’ ଏବଂ ‘ଭଏସ କଲିଙ୍ଗ’ ସେବା ଜାରି ରହିଛି । ତେବେ ଏହି ନିୟମର ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।