fbpx

ରାଜ୍ୟର ପ୍ରତି ପଞ୍ଚାୟତ ଅଫିସରେ ଲାଗିବ ଇଣ୍ଟରନେଟ: ମନ୍ତ୍ରୀ, ସଚିବ ଓ ଜିଲ୍ଲାପାଳଙ୍କ ସହ ସିଧାସଳଖ କଥା ହେବେ ସରପଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ପ୍ରଗତି ଅଭିମୁଖେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏଣିକି ଗାଁ, ପଞ୍ଚାୟତ ଓ ରାଜ୍ୟ ମୁଖ୍ୟାଳୟ ସହିତ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବ । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଅଫିସରେ ଇଣ୍ଟରନେଟ ସଂଯୋଗ କରାଯିବା ସହିତ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ କରାଯିବ । ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହାଇସ୍ପିଡ୍ ଇଣ୍ଟରନେଟ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି ।

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତି ପଞ୍ଚାୟତର ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ରାଶି ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ବିଭିନ୍ନ ବିଭାଗର ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଉକ୍ତ କାର୍ଯ୍ୟର ସ୍ଥିତି, ଅଗ୍ରଗତି, ସମସ୍ୟା ଓ ସମାଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ । ଏବେ ମନ୍ତ୍ରୀ, ସଚିବ ଓ ଜିଲ୍ଲାପାଳଙ୍କ ସହ ସରପଞ୍ଚ ସିଧାସଳଖ କଥା ହେବେ । ଏହାଦ୍ୱାରା ପଞ୍ଚାୟତର ବିକାଶର ଧାରା ଅବ୍ୟାହତ ରହିବ ।

ବିଏସଏନଏଲର ମାସିକିଆ ୭୯୯ ଟଙ୍କିଆ ପ୍ଲାନ ସହିତ କମ୍ପ୍ୟୁଟର ଓ ସ୍ୱତନ୍ତ୍ର ଭିଡିଓ କନଫରେନ୍ସିଂ ରୁମ୍ ପ୍ରସ୍ତୁତ କରିବାକୁ ସମସ୍ତ ବିଡିଓ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାଉଣ୍ଡ ଜିରୋରେ କିପରି ରାଜ୍ୟ ସରକାରଙ୍କର ଯୋଜନା କାର୍ଯ୍ୟକାରୀ ହେଉଛି ତାହା ସିଧାସଳଖ ମନ୍ତ୍ରୀ ଓ ସଚିବ ତଦାରଖ କରିବେ । ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗ ଜରିଆରେ ଓକାକ ଏହି ବ୍ୟବସ୍ଥା ପରିଚାଳନା କରୁଛି । ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଭିତ୍ତିଭୂମି କାର୍ଯ୍ୟ ସମାପ୍ତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.