fbpx

ଆମେରିକାରେ ହିନ୍ଦୁମାନଙ୍କ ପ୍ରତି ବଢୁଛି ଅସହିଷ୍ଣୁତା, ଏହି Hindu Phobia ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଆମେରିକାରେ ଗତ କିଛି ଦିନ ଭିତରେ ବହୁ ଭାରତୀୟଙ୍କୁ ହତ୍ୟା କରାଯିବା ସହ ମନ୍ଦିର ଉପରେ ବି ଆକ୍ରମଣ କରାଯାଉଛି । ଏପରିକି ସେଠାରେ ଥିବା ଭାରତୀୟ ଦୂତାବାସକୁ ବି କ୍ଷତି ପହଞ୍ଚାଯାଉଛି । ଭାରତୀୟ ବଂଶୋଦ୍ଭବ ଆମେରିକା ସାଂସଦ ଶ୍ରୀ ଥାନେଦାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି , ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ପ୍ରତି ବିଦ୍ୱେଷ ବୃଦ୍ଧି ପାଉଛି । ଏହାକୁ ସେ ହିନ୍ଦୁ ଫୋବିୟା ବୋଲି କହିଛନ୍ତି ଓ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଏହି ଫୋବିୟା ହେଉଛି ଏକ ପ୍ରକାର ଭୟ ଯାହା ବହୁ ସମୟରେ ବିନା କୌଣସି କାରଣରୁ ବି ହୋଇଥାଏ । କିଛି ଲୋକ ଅଧିକ ଉଚ୍ଚତାକୁ ଭୟ କରିଥାନ୍ତି ତ ଆଉ କିଛି ଲୋକ ଅନ୍ଧାରକୁ ଭୟ କରିଥାନ୍ତି । ଏହା ବ୍ୟତିତ ଧର୍ମ କିମ୍ବା କୌଣସି ବିଚାରଧାରାକୁ ମାନୁଥିବା ଲୋକଙ୍କୁ ବି ଭୟ ଲାଗିଥାଏ । ଯେପରିକି ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ଇହୁଦୀଙ୍କ ବିରୁଦ୍ଧରେ ଏହି ପ୍ରକାର ଭୟ ଦେଖାଇଥିଲେ । ଏହି ଭୟ ଶେଷରେ ଘୃଣାରେ ବଦଳିଗଲା ଓ କୋଟି କୋଟି ଇହୁଦୀଙ୍କ ନରସଂହାରର କାରଣ ପାଲଟିଗଲା ।

ଏହାପରେ ‘ଇସଲାମୋଫୋବିଆ’ କଥା ଶୁଣିବାକୁ ମିଳିଲା । ଏହା ସେପ୍ଟେମ୍ବର ୨୦୦୧ରେ ଆମେରିକା ଉପରେ ଆକ୍ରମଣର କଥା । ଏହି ସମୟରେ ଜଣା ପଡିଥିଲା କି ଏହି ଆକ୍ରମଣରେ ଚରମପନ୍ଥୀ ଇସଲାମିକ୍ ଶକ୍ତି ସାମିଲ ଅଛି । ଏହାପରେ ଅଲଗା ଅଲଗା ଦେଶରେ ମୁସଲିମ୍‌ଙ୍‌କୁ ଭୟ ଓ ସେମାନଙ୍କ ଉପରେ ଆକ୍ରମଣ କଥା ସାମ୍ନାକୁ ଆସିଲା । ଏବେ ହିନ୍ଦୁ ଫୋବିୟା ଦେଖିବାକୁ ମିଳିଛି । ଏବେ ଆମେରିକାରେ ରହୁଥିବା ୧୮% ଭାରତୀୟ ଏହି ହିନ୍ଦୁ ଫୋବିୟାର ଶିକାର ହେଉଛନ୍ତି । ତେବେ ଏହା ୨୦୨୦ ସମୟରେ କରାଯାଇଥିବା ସର୍ଭେର ତଥ୍ୟ ଅଟେ । କିନ୍ତୁ ଏବେ ଏହା ଆହୁରି ବଢିଯାଇଛି ଯାହା ବେଶ୍ ଚିିନ୍ତାଜନକ ଅଟେ । ଏବେ ଆମେରିକାରେ ପ୍ରତି ୧୦୦୫ରେ ୧୦ ଏପରି କେସ୍ ସାମ୍ନାକୁ ଆସୁଛି ।

ତେବେ ଏହା ପଛରେ ପ୍ରମୁଖ କାରଣ ହେଉଛି ଭାରତୀୟ ମୂଳ ହିନ୍ଦୁମାନେ ଲଗାତର ଆଗକୁ ବଢିବା । ସିଲିକନ୍ ଭ୍ୟାଲିରେ ହିନ୍ଦୁ ସମୁଦାୟ ବହୁତ ଉଚ୍ଚ ପଦପଦବୀରେ ଅଛନ୍ତି । ଭ୍ୟାଲିରେ ୧୫% ଷ୍ଟାର୍ଟଅପ ମାଲିକ ଭାରତୀୟ । ଏପରିକି ଆମେରିକା ରାଜନୀତି ଓ ମେଡିକାଲ କ୍ଷେତ୍ରରେ ଭାରତୀୟମାନଙ୍କ ଦବଦବା ବଢୁଛି । ଫଳରେ ନିଜକୁ ସୁପ୍ରିମ ମାନୁଥିବା ଶ୍ୱେତ ଲୋକମାନଙ୍କ ମନରେ ଭାରତୀୟଙ୍କୁ ନେଇ ଅସହିଷ୍ଣୁତା ଉଦ୍ରେକ ହେଉଛି । ଏହା ପରବର୍ତ୍ତୀ ସମୟରେ ହେଟ୍‌-କ୍ରାଇମ୍ ରୂପ ନେଉଛି ।

Get real time updates directly on you device, subscribe now.