fbpx
BSKY
BJD MC SKY
BJD MS SKY

ପ୍ରଚାର ପାଇଁ ଓଡ଼ିଶାକୁ ଛୁଟୁଛି କେନ୍ଦ୍ରମନ୍ତ୍ରୀଙ୍କ ସୁଅ; ଆସନ୍ତା ୭ରେ ନବରଙ୍ଗପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ୩କୁ ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଚାର ପାଇଁ କମ୍ପୁଛି ପଲ୍ଲୀରୁ ସହର । ପ୍ରାର୍ଥୀ ଘୋଷଣା ମଧ୍ୟରେ ଜାରି ରହିଛି ଦଳଡିଆଁ । କିଏ ଟିକେଟ ପାଇଁ ଖୁସିରେ ନାଚୁଛି ତ ପୁଣି କିଏ ଟିକେଟ ନ ପାଇ ଅସନ୍ତୁଷ୍ଟ । ଏଥିମଧ୍ୟରେ ପ୍ରଚାରକାର୍ଯ୍ୟ ପାଇଁ ଓଡିଶାକୁ ଛୁଟୁଛି କେନ୍ଦ୍ର ମନ୍ତ୍ରୀଙ୍କ ସୁଅ । ଏହି କ୍ରମରେ ଆସନ୍ତା ୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡିଶାରେ ନିର୍ଦ୍ଦିଷ୍ଟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେ ରଣନୀତି ପ୍ରସ୍ତୁତିରେ ଜୁଟିଛନ୍ତି ଏବଂ ବିଶାଳ ଜଣ ସମାବେଶ ମାଧ୍ୟମରେ ଲୋକଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି ।

ମେ ୧୩ତାରିଖରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁରରେ ପ୍ରଥମ ପର‌୍ୟ୍ୟାୟରେ ମତଦାନ ହେବାକୁ ଥିବାବେଳେ ୧୧ତାରିଖରେ ପ୍ରଚାର ଶେଷ ହେବ । ଏହାକୁ ଦୃଷ୍ଟିରେ ରଖି ମୋଦୀ ନବରଙ୍ଗପୁର ଜନସଭାରେ ସମ୍ବୋଧନ କରିବା ସହ ଏକ ରୋଡ୍ ସୋ’ର କାର୍ଯ୍ୟକ୍ରମ ରହିଥିବା ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି । ତେଣୁ ଶେଷ ମୁହୂର୍ତ୍ତରେ ମୋଦୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି । ତେଣୁ ପ୍ରାୟ ୧ଲକ୍ଷ ଲୋକଙ୍କୁ ନେଇ ବିଶାଳ ସମାବେଶ କରିବାକୁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଛି । ଏହି କାର୍ଯ୍ୟକ୍ରମରେ ୪ଟି ଲୋକସଭା ଆସନର ପ୍ରାର୍ଥୀ ରହିବେ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୨୧ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମଞ୍ଚରେ ରହିବେ ବୋଲି ଜଣାପଡ଼ିଛି ।

ନିର୍ବାଚନ ଘୋଷଣା ହେବା ପରେ ମୋଦୀଙ୍କର ଓଡ଼ିଶାରେ ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାରେ ମୋଦୀ କେଉଁଭଳି ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ନିକଟରେ ଏକ ଟିଭି ସାକ୍ଷାତକାରରେ ମୋଦୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ସୁଯୋଗ ଦେବାକୁ କହିଥିଲା । ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମେ ୪ ତାରିଖରେ ଭୁବନେଶ୍ୱର ଆସି ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷେ ରାହୁଲ ଗାନ୍ଧୀ ମେ ୩ରେ ରାୟଗଡ଼ା ଆସୁଥିବାବେଳେ ମେ ୫ କିମ୍ବା ୯ରେ ପ୍ରିୟଙ୍କା ଗାନ୍ଧୀ ନବରଙ୍ଗପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପି ବାଜିମାତ୍ କରିବାକୁ ସମସ୍ତ ଉଦ୍ୟମ ଲଗାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.