fbpx

ଆଗରୁ ଫିକ୍ସ ହୋଇଥିଲା କି ଡେଟ୍ ? ଚର୍ଚ୍ଚାରେ ବିଜେପିର ୱାନ୍ ଡେ ଡବଲ ଧମାକା

ଭୁବନେଶ୍ୱର : ଆଜି ଓଡିଶା ଗସ୍ଥରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ରାତି ୧୦ଟା ୪୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି ଶାହାଙ୍କର ବିଭିନ୍ନ ସରକାରୀ କାର‌୍ୟ୍ୟକ୍ରମ ରହିଥିବାର ସୂଚନା ମିଳିଛି । ଏହାରି ଭିତରେ ବିଜେପି ଆଜି ଗୋଟିଏ ଦିନରେ ତାର ନୂଆ ଟିମ୍ ମଧ୍ୟ ଘୋଷଣା କରିଥିବା ବେଳେ ସେପଟେ ଆଜି ଶାହାଙ୍କ ଅଚାନକ ଓଡିଶା ଗସ୍ତ ରହିଛି । ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦେଇଥିବା ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପିର ଜୋରଦାର ପ୍ରସ୍ତୁତି ଏକ ଭିନ୍ନ ଇସାରା ଦେଉଛି । ସମାନ ଦିନରେ ବିଜେପିର ନୂଆ ଟିମ ଘୋଷଣା ଏବଂ ଶାହାଙ୍କ ଗସ୍ତର ଡେଟ ବିଜେପି ଆଗରୁ ଫିକ୍ସ କରିଥିବା ଅନୁମାନ କରାଯାଉଛି । ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ବୋଧ ହୁଏ ଦଳ ପାଖରେ କୌଣସି ସୁରାଖ ରହିଛି ଯାହାକୁ ନେଇ ବିଜେପି ତାର ପ୍ରସ୍ତୁତି ଜୋରଦାର କରିଛି ।

ସେପଟେ ଆସନ୍ତା କାଲି ବିଭିନ୍ନ ସରକାରୀ କାର‌୍ୟ୍ୟକ୍ରମ ସାରି ଦଳୀୟ ସଂଗଠନର ସ୍ଥିତି ଓ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ ଦୂର କାର‌୍ୟ୍ୟକାରୀ ହୋଇଛି ସେ ସଂପର୍କରେ ସମୀକ୍ଷା କରିବେ ଶାହ। ୨୦୨୪ ସାଧାରଣ ନିର୍ବାଚନକୁ ଫୋକସରେ ରଖି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ପ୍ରସ୍ତୁତ ପାଇଁ ଦଳର କାର‌୍ୟ୍ୟକର୍ତାଙ୍କୁ ଦେବେ ଗୁରୁମନ୍ତ୍ର । ଅପରାହ୍ନ ସାଢ଼େ ୧୨ରୁ ରାଜ୍ୟ ବିଜେପି କାର‌୍ୟ୍ୟାଳୟକୁ ଯାଇ କାର‌୍ୟ୍ୟକର୍ତ୍ତାଙ୍କ ସହ ଦଳୀୟ ବୈଠକ ଓ ପାର୍ଟି ଅଫିସରେ ସେ ମଧ୍ୟାହ୍ନ ଭୋଜନ କରିବାର କାର‌୍ୟ୍ୟକ୍ରମ ରହିଛି । ପରେ ପୁଣି ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ ଏବଂ ସନ୍ଧ୍ୟା ୬ଟାରେ ବିମାନବନ୍ଦର ଲାଉଞ୍ଜରେ ବୈଠକ ସହ ସେ ପ୍ରତ୍ୟାବର୍ତ୍ତନ କରିବାର ଖବର ରହିଛି । ଅନ୍ୟପଟେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦିଲ୍ଲୀ ବିଲ୍‌କୁ ବିଜେଡିର ସମର୍ଥନ ଓ ଅନାସ୍ଥାକୁ ବିରୋଧ ପରେ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ସେ ଆସୁଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ପରେ ବିଜେପି ଭୟଭିତ ହୋଇ ସେଟିଂରେ ଲାଗି ପଡିଥିବା କଥା ମଧ୍ୟ ସେ କହିଛନ୍ତି ।

ସଂଯୋଗବଶତଃ କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ସମର୍ଥନ ଘୋଷଣା ପରେ ପରେ ଓଡ଼ିଶା ଆସୁଛନ୍ତି ଶାହା । ତେଣୁ ଚର୍ଚ୍ଚା, ବିରୋଧୀ ମେଣ୍ଟ ରାଜନୈତିକ ପ୍ରସଙ୍ଗରେ କିଛି ଆଲୋଚନା ହେବ କି ? ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବିଜେଡି କହିଛି ବିନା ମେଣ୍ଟରେ ବିଜେଡି ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଶାହାଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟ, ମାଇକ୍ରୋ ପ୍ଲାନିଂ ବେଶ୍ ଗୁରୁତ୍ବପୂର୍ଣ୍ଣ ତଥା ଉପାଦେୟ। ଏଠାରେ ୧୪୭ ବିଧାନସଭା ସିଟ୍ ଓ ୨୧ ଲୋକସଭା ଆସନ ପାଇଁ ବିଜେଡି ସହ ଲଢେଇ ହେବ। । ତେବେ ଶାହାଙ୍କ ଏହି ଗସ୍ତ ବିଜେପି ପାଇଁ କେତେ ସହାୟକ ହେବ ତାହା ଦେଖିବାକୁ ବାକି ରହୁଛି ।

Get real time updates directly on you device, subscribe now.