fbpx

ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ବଢିବା ଆରମ୍ଭ କଲାଣି ସୁନା ଦର, ସୁନା ବିକିବାକୁ ଅରାଜି ଗହଣା ବେପାରୀ

ନୂଆଦିଲ୍ଲୀ:ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱରେ ନିବେଶକଙ୍କ ଚିନ୍ତା ବଢିଯାଇଛି । ଏହି କ୍ରମରେ ସେୟାର ବଜାରରେ କିଣାବିକା ହ୍ରାସ ଘଟିବା ନେଇ ଆଶଙ୍କା ଉପୁଜିଥିବା ବେଳେ ଅନ୍ୟପଟେ ସୁରକ୍ଷିତ ନିବେଶ ଭାବରେ ସୁନାର ଚାହିଦା ବଢିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ବିଶେଷଜ୍ଞଙ୍କ ମତ ବିଶ୍ୱରେ ଭୌଗଳିକ ଓ ରାଜନୈତିକ ସ୍ତରରେ ଅଶାନ୍ତି ବୃଦ୍ଧି ପାଇଲେ ସୁନା ଓ ଡଲାର ପରି ସଂପତ୍ତିରେ ନିବେଶ ବୃଦ୍ଧି ପାଇଥାଏ । ଏହା ସହିତ ଆମେରିକା ଡଲାରର ମଧ୍ୟ ଚାହିଦା ବୃଦ୍ଧି ପାଇଥାଏ ।

ଯୁଦ୍ଧ କିମ୍ବା ଅନ୍ୟ ଆର୍ଥିକ ସଂକଟ ସ୍ଥିତିରେ ସାରା ବିଶ୍ୱରେ ସୁନାର ଚାହିଦା ବୃଦ୍ଧି ପାଇଥାଏ । କାରଣ ଏପରି ସ୍ଥିତିରେ ନିବେଶକମାନେ ସୁନାରେ ନିବେଶକୁ ସୁରକ୍ଷିତ ମନେ କରିଥାନ୍ତି । ବିଶେଷଜ୍ଞ କହିଛନ୍ତି ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ କାରଣରୁ ଫିଜିକାଲ ମାର୍କେଟରେ ସୁନାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି ।ଏହାଦ୍ୱାରା ବଜାରରେ ସୁନାର ପ୍ରମିୟମ ଦ୍ରୁତ ଗତିରେ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୭୦୦ ଟଙ୍କା ହୋଇଯାଇଛି । ଏହା ସହିତ ଆଗକୁ ଏହି ଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଦିଲ୍ଲୀରେ କେତେକ ସ୍ଥାନରେ ବୁଲିୟନ ବେପାରୀ ସୁନା ଦର ବୃଦ୍ଧି ସମ୍ଭାବନାକୁ ନେଇ ସୁନା ବିକିବାକୁ ମନା କରୁଛନ୍ତି ।

କେବଳ ସୁନା ନୁହେଁ ରୂପାର ପ୍ରିମିୟମ ବି ୧ କିଲୋଗ୍ରାମ ପ୍ରତି ୧୦୦୦ଟଙ୍କାରୁ ବୃଦ୍ଧି ପାଇ ୩୫୦୦ରେ ପହଞ୍ଚିଛି । ନୂଆଦିଲ୍ଲୀରେ ସୁନାର ଦାମ୍ ଅକ୍ଟୋବର ୬ରେ ୧୦ ଗ୍ରାମ ପ୍ରତି ୫୭,୯୯୫ ଟଙ୍କା ଥିବା ବେଳେ ଗତ ଶନିବାର ଏହା ୫୮,୬୬୦ରେ ପହଞ୍ଚିଛି । ଅର୍ଥାତ୍ ଗୋଟିଏ ଦିନରେ ୭୦୦ ଟଙ୍କା ବଢିଯାଇଛି ।

Get real time updates directly on you device, subscribe now.