ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଲେବାନନର ଉପରେ ଗୁରୁବାର ଇସ୍ରାଏଲର ଏୟାରଷ୍ଟ୍ରାଇକ୍ । ଏଥିରେ ଅତି କମରେ ୧୫ ଜଣ ଉଦ୍ଧାରକାରୀ କର୍ମୀଙ୍କ ମୃତ୍ୟୁ ଘଟିଛି । ଲେବାନନର ଜରୁରୀକାଳୀନ କର୍ମଚାରୀଙ୍କୁ ଟାର୍ଗେଟ କରି ଏହା ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ । ବେକା ଉପତ୍ୟକାର ବାଲବେକ୍ ସହର ନିକଟରେ ହୋଇଥିବା ଏହି ଆକ୍ରମଣରେ ଲେବାନନର ବେସାମରିକ ପ୍ରତିରକ୍ଷା ଏଜେନ୍ସିର ଏକ କୋଠା ଧ୍ୱଂସ ହୋଇଯାଇଛି । ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ୍ଲା ସହ ଏହି କୋଠାର କୌଣସି ସମ୍ପର୍କ ନାହିଁ ।
ସ୍ଥାନୀୟ ଗଭର୍ଣ୍ଣର ବଶିର ଖୋଦ୍ କହିଛନ୍ତି ଯେ ଆହତଙ୍କ ମଧ୍ୟରେ ସହରର ବେସାମରିକ ପ୍ରତିରକ୍ଷା ମୁଖ୍ୟ ବିଲାଲ ରାଡ୍ ମଧ୍ୟ ଅଛନ୍ତି । ଇସ୍ରାଏଲ ସେନା ଏହି ଆକ୍ରମଣ ଉପରେ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ବର୍ବର ବୋଲି କହିଛି । ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସେପ୍ଟେମ୍ବରରେ ହିଜବୁଲ୍ଲା ସହ ସଂଘର୍ଷ ବଢିବା ପରଠାରୁ ସାରା ଦେଶରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ଅତି କମରେ ୧୯୨ ଜଣ ଜରୁରୀକାଳୀନ ଏବଂ ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାଇଛନ୍ତି ।