fbpx
BSKY
BJD MC SKY
BJD MS SKY

(Video) ଭାରତ ଆସୁଥିବା ଇସ୍ରାଏଲୀ ଜାହାଜକୁ ଅପହରଣ କଲେ ୟେମେନର ହଉତୀ ବିଦ୍ରୋହୀ, ଜାରି କଲେ ଭିଡିଓ

ନୂଆଦିଲ୍ଲୀ: ତର୍କୀରୁ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜକୁ ଗତକାଲି ଅପହରଣ କରାଯାଇଛି । ୟେମେନର ହଉତୀ ବିଦ୍ରୋହୀମାନେ ଉକ୍ତ ଜାହାଜକୁ ଅପହରଣ କରିଥିବା ବେଳେ ସେନେଇ ଏକ ଭିଡିଓ ଜାରି କରାଯାଇଛି । ହମାସ ବିରୋଧରେ ଯୁଦ୍ଧକୁ ନେଇ ହଉତୀ ବିଦ୍ରୋହୀମାନେ ଇସ୍ରାଏଲୀ ଜାହାଜ ଉପରେ ଟାର୍ଗେଟ କରିଥିଲେ । ଏଥିସହିତ ଉକ୍ତ ଜାହାଜ ଇସ୍ରାଏଲର ବୋଲି ମଧ୍ୟ ଜୋର ଦେଇଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ଏହାକୁ ଖଣ୍ଡନ କରିବା ସହିତ ଉକ୍ତ ଜାହାଜରେ କୌଣସି ଇସ୍ରାଏଲୀ ନାଗରିକ ନଥିବା କୁହାଯାଇଛି ।

ସୂଚନା ମୁତାବକ, ୟେମେନର ହଉତୀ ବିଦ୍ରୋହୀମାନେ ଇସ୍ରାଇଲ ସହ ସମ୍ବନ୍ଧିତ ଓ ଭାରତ ଆସୁଥିବା ଏକ ମାଲବାହୀ ଜାହାଜକୁ ହାଇଜାକ୍ କରିନେଇଛନ୍ତି । ଏଥିସହିତ ବିଦ୍ରୋହୀମାନେ ଜାହାଜରେ ଥିବା ୨୫ ଜଣ ସଦସ୍ୟଙ୍କୁ ବନ୍ଧକ ମଧ୍ୟ କରିନେଇଛନ୍ତି । ଏହି ଘଟଣା ପରେ ଇସ୍ରାଏଲ-ହମାସ ଯୁଦ୍ଧ ଆହୁରି ବିଗିଡ଼ିବାର ସମ୍ଭାବନା ରହିଛି । ବିଦ୍ରୋହୀମାନେ ଏକ ପୁରୁଣା ଋଷୀୟ ଏମଆଇ-୧୭ ହେଲିକପ୍ଟରରୁ ମାଲବାହୀ ଜାହାଜ ଉପରେ ଓହ୍ଲାଉଥିବା ଭିଡିଓରେ ଦେଖାଯାଇଥିଲା ।

ଏହାପରେ ବିଦ୍ରୋହୀମାନେ ସର୍ବପ୍ରଥମେ ଜାହାଜର ଚାଳକ ଦଳଙ୍କୁ ନିଜ ହେପାଜତକୁ ନେଇଯାଇଥିଲେ ଓ ତା’ପରେ ପୂରା ଜାହାଜକୁ କବଜା କରିନେଇଥିଲେ । ଏହି ସମୟରେ ବିଦ୍ରୋହୀମାନେ ଇସ୍ରାଏଲ ବିରୋଧରେ ନାରା ନେଇଥିଲେ । ଉତ୍ତର ୟେମେନ ଓ ତା’ର ଲାଲ ସାଗର ତଟ ଉପରେ ବିଦ୍ରୋହୀମାନେ ନିୟନ୍ତ୍ରଣ ରଖୁଥିବା ବେଳେ ଜାହାଜଟି ଇସ୍ରାଏଲର ବୋଲି କୁହାଯାଇଛି । ମାତ୍ର ଜାହାଜଟିର ମାଲିକ ବ୍ରିଟିଶ ହୋଇଥିବା ବେଳେ ତାହା ଜାପାନ ଦ୍ୱାରା ସଞ୍ଚାଳିତ ହେଉଥିବା ଇସ୍ରାଏଲ କହିଥିବା ବିଦ୍ରୋହୀମାନେ କହିଛନ୍ତି ।

ତେବେ ଉକ୍ତ ଜାହାଜ ଆଂଶିକ ଭାବେ ଇସ୍ରାଏଲର ଜଣେ ବ୍ୟବସାୟୀଙ୍କର ବୋଲି କୁହାଯାଉଛି । ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ବେଳେ ତାହାକୁ ଜବତ କରାଯାଇଥିଲା । ତେବେ ଏନେଇ ହଉତୀ ବିଦ୍ରୋହୀଙ୍କ ସୈନ୍ୟ ମୁଖପାତ୍ର କହିଛନ୍ତି, ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଆମର ପାଲେଷ୍ଟାଇନ ଭାଇଙ୍କ ଉପରେ ହେଉଥିବା ଅତ୍ୟାଚାର ଜବାବରେ ଏହି ଜାହାଜକୁ ଜବତ କରାଯାଇଛି । ଅନ୍ତରାଷ୍ଟ୍ରୀୟ ସମୁଦାୟ ଯଦି ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତା ନେଇ ଚିନ୍ତିତ ଅଛନ୍ତି, ତେବେ ଗାଜା ବିରୋଧରେ ଇସ୍ରାଏଲର ଆକ୍ରମଣକୁ ସମାପ୍ତ କରିବା ଦରକାର ।’ ଗତ ମାସ ୭ ତାରିଖରେ ଇସ୍ରାଏଲ ବିରୋଧରେ ହଉତୀ ମିସାଇଲ ଓ ଡ୍ରୋମା ଆକ୍ରମଣ କରିଥିଲା । ସେହିଦିନ ଠାରୁ ଇସ୍ରାଏଲ ହମାସ ବିରୋଧରେ ଗାଜାରେ ଆକ୍ରମଣ ଆରମ୍ଭ କରିଥିଲା ।

Get real time updates directly on you device, subscribe now.