fbpx
BSKY SKY
BSKY SKY

ମଙ୍ଗଳ ଗ୍ରହକୁ ହେଲିକପ୍ଟର ପଠାଇବ ଭାରତ: ଜାଣନ୍ତୁ, ଏହି ମିଶନ ବିଷୟରେ କିଛି ଖାସ୍ ତଥ୍ୟ

BSKY

ବେଙ୍ଗାଲୁରୁ: ଗତବର୍ଷ ଚନ୍ଦ୍ରଯାନ-୩ ଅଭିଯାନରେ ସଫଳ ହେବା ପରେ ଭାରତକୁ ନେଇ ଏକ ବିଶାଳ ପରିକଳ୍ପନା କରିଥିଲେ ଭାରତ ସରକାର । ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇବ ଭାରତ। ଏହା ସହ ୨୦୩୫ ସୁଦ୍ଧା ଭାରତ ନିଜସ୍ୱ ‘ଭାରତୀୟ ମହାକାଶ ଷ୍ଟେସନ’ ପ୍ରତିଷ୍ଠା କରିବ। ଆଉ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମହାକାଶ ବିଭାଗ ଚନ୍ଦ୍ର ଅନୁସନ୍ଧାନ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବ। ଏଥି ସହିତ ଶୁକ୍ର ଓ ମଙ୍ଗଳ ଅଭିଯାନରେ ବି କାମ କରିବାକୁ ମୋଦୀ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରି କହିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଏହି ସବୁ କାର୍ଯ୍ୟକ୍ରମ ଜାରି ରହିଥିବା ଜଣାପଡିଛି। ଏହାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି।

ତେବେ ସୂଚନା ଅନୁଯାୟୀ, ମଙ୍ଗଳ ଗ୍ରହ ହେଉଛି ଭାରତର ପରବର୍ତ୍ତୀ ମିଶନ। ଏହି ମିଶନରେ ଏକ ହେଲିକପ୍ଟର ସାମିଲ ହେବାର ସମ୍ଭାବନା ରହିଛି। ଏହା ନାସାର ଇନଜେନିଟି ଡ୍ରୋନ ଆଧାରରେ ବିକଶିତ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଏହାକୁ ନେଇ ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି। ଇସ୍ରୋ ଏକ ଲ୍ୟାଣ୍ଡର ସହାୟତାରେ ମଙ୍ଗଳକୁ ହେଲିକପ୍ଟର ପଠାଇବାର ଯୋଜନା କରୁଛି। ମଙ୍ଗଳ ପୃଷ୍ଠରେ ଏହା ଅବତରଣ କରିବା ପରେ ଏହା ‌ରୋଭର ସହିତ ଏକ ରୋଟୋକପ୍ଟର(ହେଲିକପ୍ଟର)କୁ ମଧ୍ୟ ପଠାଇବ। ତେବେ ଇସ୍ରୋର ଏହି ହେଲିକପ୍ଟର ମଙ୍ଗଳରେ ୧୦୦ ମିଟର ଉଚ୍ଚରେ ଉଡ଼ାଣ କରିବାର ଯୋଜନା ପ୍ରସ୍ତୁତ କରାଯାଉଛି। ଏଥିରେ ମାର୍ଟିୟନ ବାଉଣ୍ଡ୍ରି ଲେୟାର ଏକ୍ସପ୍ଲୋରର(ମାର୍ବଲ) ନାମ ଏକ ଉପକରଣ ସଂଯୁକ୍ତ କରାଯିବ। ଏହା ମଙ୍ଗଳର ବାୟୁମଣ୍ଡଳର ସରଂଚନା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ। ଏହାକୁ ନାସାର ଡ୍ରୋନ ଭଳି ଡିିଜାଇନ କରାଯିବ।

ସୂଚନା ଥାଉକି, ନାସାର ଇନଜେନିଟି ଡ୍ରୋନ ମଙ୍ଗଳରେ ୩ ବର୍ଷ ପର୍ଯ୍ୟନ୍ତ ୭୨ ଥର ଉଡ଼ାଣ କରିବା ସହିତ ୧୮ କିଲୋମିଟର ଯାତ୍ରା କରିଥିଲା। ଇସ୍ରୋ ମଧ୍ୟ ଏଭଳି ହେଲିକପ୍ଟର ପଠାଇବାକୁ ଯୋଜନା କରୁଛି। ଏଥିରେ ତାପମାନ ସେନସର, ଆଦ୍ରତା ସେନସର, ପବନ ଗତି ସେନସର, ବିଦ୍ୟୁତ ସେନସର ଭଳି ଉପକରଣ ରହିବ ବୋଲି କୁହାଯାଉଛି। ତେବେ ଇସ୍ରୋର ଏହି ମାର୍ବଲ ମିଶନ ଦ୍ୱାରା ସଂଗ୍ରହ କରାଯାଇଥିବା ତଥ୍ୟ ଆଗାମୀ ସମୟରେ ମଙ୍ଗଳଗ୍ରହ ସମ୍ପର୍କରେ ବିଭିନ୍ନ ତଥ୍ୟ ଯୋଗାଇବାରେ ସକ୍ଷମ ହେବ ଏବଂ ମଙ୍ଗଳରେ ବସତି ସ୍ଥାପନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ।

 

Get real time updates directly on you device, subscribe now.