ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ରହସ୍ୟ ଖୋଲିବ, ମହାକାଶ ଗବେଷଣାରେ ନୂଆ ପରିଚୟ ସୃଷ୍ଟି କରିବ ଦେଶ

ନୂଆଦିଲ୍ଲୀ : ଆଉ ଏକ ବଡ଼ ମିଶନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଭାରତ ଏବଂ ୟୁରୋପିଆନ୍ ୟୁନିୟନ୍ (ଇୟୁ) ମିଳିତ ଭାବେ ପ୍ରୋବା-୩ ସ୍ପେସ୍ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହରେ ହିଁ ଏହା ଲଞ୍ଚ ହେବ । ଏହାପରେ ମାହାକାଶ ଗବେଷଣା କ୍ଷେତ୍ରରେ ଭାରତ ନୂଆ ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ।

ପ୍ରୋବା-୩ର ବିଶେଷତ୍ୱ ଏହା ସୂର୍ଯ୍ୟଙ୍କ ଗତିବିଧି ଉପରେ ନଜର ରଖିବ । ଭାରତ ଏବଂ ଇୟୁ ଏ କ୍ଷେତ୍ରରେ ଏକାଠି କାର୍ଯ୍ୟ କରିବା ସହ ମିଶନ ସଫଳ ହେବା ନେଇ ଆଶା କରାଯାଉଛି । ଦୁଇ ରାଷ୍ଟ୍ରର ସ୍ପେସ୍ ସାଇଣ୍ଟିଷ୍ଟମାନେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ମିଶନ୍ ସଫଳ କରିବା ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରୁଛନ୍ତି । ଏହି ମିଶନର ମୁଖ୍ୟ ଉଦେ୍ଦଶ୍ୟ ସୋଲାର୍ ଅବ୍ଜରଭେଶନ୍ । ସୋଲାର କୋରୋନା ସମ୍ପର୍କରେ ପ୍ରୋବା-୩ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ସାହାର୍ଯ୍ୟ କରିବ । ଇୟୁ ପାଇଁ ପ୍ରୋବା-୩ ହେଉଛି ଭାରତର ତୃତୀୟ ସାଟେଲାଇଟ୍ । ପୂର୍ବରୁ ଦୁଇ ଦେଶ ପ୍ରୋବା-୧ ଏବଂ ପ୍ରୋବା-୨ ପାଇଁ କାମ କରିଥିଲେ ।