କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜରେ ରାଗିଂ ରୋକିବା ଲାଗି ଇସ୍ରୋ ଠାରୁ ସହାୟତା ମାଗିଛନ୍ତି । ଗୁରୁବାର ରାତିରେ ରାଜଭବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ରାଜ୍ୟପାଳ ବୋଷ ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି । ସେ ଇସ୍ରୋ ଅଧ୍ୟକ୍ଷଙ୍କୁ ଏପରି ଟେକନିକର ସହାୟତା ମାଗିଛନ୍ତି ଯାହା ରାଗିଂକୁ ପ୍ରଭାବଶାଳୀ ଉପାୟରେ ରୋକିପାରିବ । ବୟାନରେ କୁହାଯାଇଛି ଚନ୍ଦ୍ରଯାନ ୩ର ସଫଳତା ପରେ ଇସ୍ରୋ ରାଜ୍ୟ ବିଶ୍ୱବିଦ୍ୟାଳୟରେ ରାଗିଂ ରୋକିବା ଲାଗି ଆଡଭାନ୍ସ ଟେକନିକର ସହଯୋଗ କରିବା ନେଇ ପ୍ରସ୍ତାବ ରଖିଛି ।
ଏ ସଂପର୍କରେ ରାଜ୍ୟପାଳ ହାଇଦ୍ରାବାଦ ସ୍ଥିତ ଆଡଭାନ୍ସ ଡାଟା ପ୍ରୋସେସିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ସଂସ୍ଥା ଇସ୍ରୋର ଏକ ପରୀକ୍ଷଣ କେନ୍ଦ୍ର ଅଟେ । ଏହି ଟେକନିକ ଲାଗି ଇସ୍ରୋ ବିଭିନ୍ନ ଉତ୍ସର ଉପଯୋଗ କରିବ । ଯେପରିକି ଭିଡିଓ ଆନାଲିଟିକ୍ସ, ଇମେଜ୍ ମ୍ୟାଚିଂ, ଅଟୋମେଟିକ ଟାର୍ଗେଟ ରିକଗନିସନ ଓ ରିମୋଟ୍ ସେନସିଂ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨ ସପ୍ତାହ ପୂର୍ବରୁ ଯାଦବପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଦ୍ୱିତୀୟ ମହଲା ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିଲା । ଏହାର ପଛରେ କାରଣ ଥିଲା ରାଗିଂ । ରାଜ୍ୟରେ ରାଗିଂ ମାମଲା ରୋକିବା ଲାଗି ରାଜ୍ୟପାଳ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି ।