ନୂଆଦିଲ୍ଲୀ: ଇଟାଲୀ ପ୍ରଥମ ଥର ପାଇଁ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ରେ ସ୍ଥାନ ପକ୍କା କରିଛି। ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଇଉରୋପ ଯୋଗ୍ୟତା ପର୍ଯ୍ୟାୟ ୨୦୨୫ରେ ଇଟାଲୀ ଗର୍ନସେ ଓ ସ୍କଟଲ୍ୟାଣ୍ଡକୁ ହରାଇ ଏହି ଐତିହାସିକ ସଫଳତା ହାସଲ କରିଛି।
ଇଟାଲୀ ୧୩ତମ ଦେଶ ଭାବେ ଯୋଗ୍ୟତା ଅର୍ଜନ କରିଥିବା ବେଳେ ନେଦରଲ୍ୟାଣ୍ଡ ୧୪ତମ ଦେଶ ହୋଇଛି। ୨୦୨୬ରେ ୨୦ଟି ଦଳ ସାମିଲ ହେବାକୁ ଥିବା ଏହି ବିଶ୍ୱକପ୍ରେ ଆହୁରି ୬ଟି ସ୍ଥାନ ଖାଲି ରହିଛି। ଏହା ଆଞ୍ଚଳିକ ଯୋଗ୍ୟତା ଟୁର୍ନାମେଣ୍ଟ ମାଧ୍ୟମରେ ନିର୍ଦ୍ଧାରିତ ହେବ, ଯେଉଁଥିରେ ଆଫ୍ରିକାରୁ ୨ଟି, ଆମେରିକାରୁ ୧ଟି ଓ ଏସିଆ/ପୂର୍ବ-ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ୩ଟି ଦଳ ଯୋଗ୍ୟତା ଅର୍ଜନ କରିବେ।
ଏହି ଟୁର୍ନାମେଣ୍ଟରେ ଆୟୋଜକ ଦେଶ ଭାରତ ଓ ଶ୍ରୀଲଙ୍କା ସହ ଅଟୋମେଟିକ ଯୋଗ୍ୟତା ପାଇଥିବା ଦଳଗୁଡ଼ିକ ହେଉଛି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ଵେଷ୍ଟ ଇଣ୍ଡିଜ ଓ ଯୁକ୍ତରାଷ୍ଟ୍ର, ଯେଉଁମାନେ ଗତ ଟି-୨୦ ବିଶ୍ୱକପ୍ରେ ସୁପର ଏଇଟ ପର୍ଯ୍ୟାୟରେ ପହଞ୍ଚିଥିଲେ। ଏହା ସହ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ଆୟାରଲ୍ୟାଣ୍ଡ ଟି-୨୦ଆଇ ରାଙ୍କିଂ ଆଧାରରେ ସିଧାସଳଖ ଯୋଗ୍ୟତା ପାଇଛନ୍ତି।
ଇଟାଲୀର ଏହି ସଫଳତା କ୍ରିକେଟ ଜଗତରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି, ଯାହା ଏହି ଦେଶରେ କ୍ରିକେଟର ବିକାଶକୁ ଆହୁରି ପ୍ରୋତ୍ସାହିତ କରିବ।