କମୁନି କରୋନା ସଂକ୍ରମଣ, କେରଳରେ କଲବଲ, ଏମିତି କହିଲେ ଜେପି ନଡ୍ଡା

ଓଡ଼ିଶା ଭାସ୍କର ବ୍ୟୁରୋ: ମହାମାରୀ କରୋନା ଦେଶରେ ପ୍ରଥମେ କେରଳରୁ ଚିହ୍ନଟ ହୋଇଥିଲା । ଆଉ ସେହି କେରଳରେ ହିଁ ସମ୍ପ୍ରତି ସଂକ୍ରମଣ କମିବା ନାଁ ଧରୁନି । ଦ୍ୱିତୀୟ ତରଙ୍ଗ ପରେ ତୃତୀୟ ତରଙ୍ଗ ଆଶଙ୍କା ଦେଶ ପାଇଁ ଘନେଇ ଆସୁଥିବାବେଳେ କେରଳରେ ସ୍ଥିତି ସଂକଟ ଆଡ଼କୁ ଗତି କରୁଛି । ତେବେ ଏହାକୁ ନେଇ ରାଜନୀତିକ ପାଣିପାଗ ମଧ୍ୟ ଗରମ ହେବାରେ ଲାଗିଛି । ବଢୁଥିବା କରୋନା ସଂକ୍ରମଣକୁ ଦେଖି ବିଜେପି ପକ୍ଷରୁ କେରଳ ସରକାରଙ୍କୁ କଡ଼ା ଭର୍ତ୍ସନା କରାଯାଇଛି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନଙ୍କ ସମାଲୋଚନା କରିବା ସହ କରୋନାକୁ ନେଇ କେରଳର ମଡେଲ୍ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ କେରଳ ସରକାର କରୋନା ସହ ମୁକାବିଲା କରିବାରେ ଉଚିତ୍ ଭୂମିକା ନିର୍ବାହ କରିନାହାନ୍ତି । କେରଳର କୋଝିକୋଡ଼ରେ ଦଳର ନୂଆ କାର୍ଯ୍ୟାଳୟ ଉଦଘାଟନ କରିବା ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଶ୍ରୀ ନଡ୍ଡା କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିକଟରେ କେରଳକୁ ସ୍ୱତନ୍ତ୍ର ପ୍ୟାକେଜ୍ ଦେଇଛନ୍ତି । କରୋନା ସହ ଲଢ଼େଇ ପାଇଁ ଏହି ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଇଛି । କିନ୍ତୁ କେରଳ ସରକାର ଉଚିତ୍ ଢଙ୍ଗରେ କରୋନା ସହ ମୁକାବିଲା କରିନାହାନ୍ତି । କେରଳର ଜନସଂଖ୍ୟା ୩.୫୮ କୋଟି ହୋଇଥିବାବେଳେ ୩୮ ଲକ୍ଷ କୋଭିଡ୍ ସଂକ୍ରମିତ ସଂଖ୍ୟା ସାମ୍ନାକୁ ଆସିଛି । ସେପଟେ ଉତ୍ତର ପ୍ରଦେଶରେ ୨୨.୯ କୋଟି ଜନସଂଖ୍ୟା ମଧ୍ୟରୁ ମାତ୍ର ୧୭ ଲକ୍ଷ କୋଭିଡ୍ ସଂକ୍ରମିତ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କେରଳ ଗସ୍ତରେ ରହିଛନ୍ତି । ଆଉ ଏହି ଅବସରରେ ସେ ବିମୁଦ୍ରାକରଣ, ଜିଏସଟି ଓ କୃଷି ଆଇନକୁ ନେଇ ଭାରତୀୟ ଅର୍ଥ ବ୍ୟବସ୍ଥାର ଦୁରାବସ୍ଥା ଲାଗି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।