ଭାରତ-ପାକିସ୍ତାନ ତିକ୍ତତା ପରେ, ମିଠା ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍, ମିଠାରୁ ହଟିଲା ‘ପାକ୍’ ନାଁ
ମହଙ୍ଗା ମିଠାରୁ 'ପାକ୍' ନାଁ ହଟି ହେଲା 'ଶ୍ରୀ'।
ଜୟପୁର: ପହଲଗାମ ଆତଙ୍କୀ ହମଲା ପରେ ଏବେ ପାକିସ୍ତାନ ଉପରେ ଭାରତୀୟ ଲୋକେ କ୍ରୋଧ ଝାଡୁଛନ୍ତି। ଭାରତ ସରକାର ପାକିସ୍ତାନର ଅନେକ ଜିନିଷକୁ ବ୍ୟାନ ମଧ୍ୟ କରିଛନ୍ତି। ହେଲେ ଏବେ ମିଠା ଉପରେ ବି ହୋଇଛି ସର୍ଜିକାଲ ଷ୍ଟ୍ରାଇକ୍। ଅର୍ଥାତ୍ ଜୟପୁରର ପ୍ରସିଦ୍ଧ ମିଠାରୁ ପାକ୍ ଶବ୍ଦକୁ ହଟାଇ ଦିଆଯାଇଛି।
ଯେଉଁ ସବୁ ମିଠା ନାଁରେ ପାକ୍ ଶବ୍ଦ ଲାଗିଥିଲା, ସେସବୁ ମିଠାର ନାଁରୁ ପାକ୍ ହଟାଇ ଶ୍ରୀ ଲଗାଯାଇଛି। ସେପଟେ କେନ୍ଦ୍ର ସରକାର ପାକିସ୍ତାନ ଉପରେ ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଛନ୍ତି, ଏପଟେ ଭାରତୀୟମାନେ ମଧ୍ୟ ପାକ୍ ପ୍ରତି ନିଜ କ୍ରୋଧ ଝାଡୁଛନ୍ତି।
ମିଠାରୁ ହଟିଲା ପାକ୍ ନାଁ: ହଁ ଭାରତ ସରକାର ପାକିସ୍ତାନ ଉପରେ ଅନେକ ପ୍ରକାର ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଡିଜିଟାଲ ଷ୍ଟ୍ରାଇକ୍ କରୁଛନ୍ତି। ଆଉ ଏପଟେ ଜୟପୁର ମିଠା ସଂଘ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି।
ଜୟପୁର ମିଠା ସଂଘ ମିଠା ଷ୍ଟ୍ରାଇକ୍ ଆରମ୍ଭ କରିଛି। ସ୍ୱାଦିଷ୍ଟ ଏବଂ ମହଙ୍ଗା ମିଠା ପାଇଁ ପ୍ରସିଦ୍ଧ ଜୟପୁର ମିଠା ମହୋତ୍ସବ, ବିଶେଷକରି ମିଠା ସମ୍ପର୍କରେ ଦେଶପ୍ରେମର ଏକ ଅନନ୍ୟ ବାର୍ତ୍ତା ଦେଇଛି। ଆଉ ସେହି ସଂଘ ଏବେ ପାକିସ୍ତାନ ନାମ ଥିବା ମିଠାର ନାମ ପରିବର୍ତ୍ତନ କରିଛି।
ପାକ୍ ହଟି ଶ୍ରୀ ଲାଗିଲା: ଦେଖିବାକୁ ଗଲେ ଜୟପୁରର ଅନେକ ପ୍ରସିଦ୍ଧ ମିଠା ରହିଛି। ଯେଉଁସବୁ ମିଠାର ନାଁ ପରେ ପାକ୍ ରହିଛି। ଆଉ ପହଲଗାମ ଆତଙ୍କୀ ହମଲା ପରେ ଏହିସବୁ ମିଠା ନାଁରୁ ପାକ୍ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଆଉ ହଟାଯାଇଛି ମଧ୍ୟ।
ଯେପରି ସ୍ୱର୍ଣ୍ଣ ଭସ୍ମ ପାକ୍, ମୋତି ପାକ୍, ଆମ ପାକ୍, ଗୋଣ୍ଡ ପାକ୍, ମହୀଶୂର ପାକ୍, ଯାହାର ନାମ ପରେ ପାକ୍ ଶବ୍ଦ ଅଛି, ଏବେ ସେଗୁଡ଼ିକୁ ‘ଶ୍ରୀ’ କିମ୍ବା ‘ଭାରତ’ ଭାବରେ ନାମିତ କରାଯାଇଛି।
ଦେଶପ୍ରେମର ସ୍ୱାଦ: ଏବେ ଏହି ଦୋକାନରେ ପ୍ରସ୍ତୁତ ପ୍ରତ୍ୟେକ ମିଠାରେ ଦେଶପ୍ରେମର ସ୍ୱାଦ ମିଳିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ତ୍ୟୋହାର ସ୍ୱିଟ୍ସ ମୋତି ପାକ୍, ଆମ ପାକ୍, ଗୋଣ୍ଡ ପାକ୍, ମାଇସୁର ପାକ୍ ଭଳି ମିଠାର ନାମ ପରିବର୍ତ୍ତନ କରି ମୋତି ଶ୍ରୀ, ଆମ ଶ୍ରୀ, ଗୋଣ୍ଡ ଶ୍ରୀ, ମାଇସୁର ଶ୍ରୀ ରଖିଛି।
ଷ୍ଟୋରର ମାଲିକ କୁହନ୍ତି, ଗ୍ରାହକମାନେ ତାଙ୍କୁ ମିଠାଗୁଡ଼ିକର ନାମ ପରିବର୍ତ୍ତନ କରିବାକୁ କହିଥିଲେ ଏବଂ ସେ ତୁରନ୍ତ ସେଗୁଡ଼ିକର ନାମ ପରିବର୍ତ୍ତନ କରିଥିଲେ। ତାଙ୍କ ମତରେ, ମିଠା ସ୍ୱାଦରେ ଲୋକମାନେ ଆଉ ପାକିସ୍ତାନର ନାମ ପସନ୍ଦ କରୁନାହାଁନ୍ତି।