ପୋଲିସ ବିଷ ରଖିଥିଲା, ଧମକାଇବାରୁ ପିଇଦେଲି…ବାଲିଚନ୍ଦ୍ରପୁର ଥାନା ହାଜତରେ ନିର୍ଯାତନା, ପ୍ୟାଣ୍ଟ ଖୋଲିବାକୁ ବାଧ୍ୟ କରିଥିଲା ପୋଲିସ!
ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ।
ଭୁବନେଶ୍ବର: ଯାଜପୁର ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ରବୀନ୍ଦ୍ର ମଲ୍ଲିକ ।
ଥାନାରେ ପୋଲିସର ଥାର୍ଡ ଡିଗ୍ରୀ- ତାଙ୍କ କହିବା ଅନୁସାରେ, ମୋ ନାଁରେ ୩୨୬ ଦଫା ଲଗାଇବେ କହି ଧମକାଇଥିଲେ ପୋଲିସ । ମୋତେ ପ୍ୟାଣ୍ଟ ଖୋଲିବାକୁ କହିଲେ, ମୁ ଖୋଲିଲିନି । କିନ୍ତୁ ପୋଲିସ ଆସି ମୋ ପ୍ୟାଣ୍ଟ ଖୋଲିଦେଇଥିଲା ।
ପୋଲିସ ବିଷ ବୋତଲ ଆଣି ରଖିଥିଲା, ଧମକାଇବାରୁ ପିଇଦେଲି ବୋଲି କହିଛନ୍ତି ରବୀନ୍ଦ୍ର । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରବୀନ୍ଦ୍ର ଏହି ଗୁରୁତର ଅଭିଯୋଗ ଆଣିଛନ୍ତି । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସର ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।
କଣ ଥିଲା ଘଟଣା- ଗତ ଦୁଇଦିନ ତଳେ ରବୀନ୍ଦ୍ରଙ୍କ ବାପା ମହେଶ୍ବରଙ୍କ ଘରକୁ ଜଣେ ମହିଳା ଟଙ୍କା ମାଗିବାକୁ ଆସିଥିଲେ । ତେବେ ପଡୋଶୀ ରମେଶ ମଲିକ ଓ ତାଙ୍କ ପୁଅ ବାଦଲଙ୍କ ସହ ତୁତୁ ମେମେ ହୋଇଥିଲା ।
ଏହାପରେ ସେମାନେ ମହେଶ୍ବରଙ୍କୁ ମାଡ ମାରିଥିଲେ । ଏହାକୁ ସହିପାରିନଥିଲେ ରବୀନ୍ଦ୍ର । ସେ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ।
ଫଳରେ ଏହି ଘଟଣା ଥାନାରେ ପହଞ୍ଚିବା ପରେ ପୋଲିସ ରବୀନ୍ଦ୍ରଙ୍କୁ ଗିରଫ କରିଥିଲା । ରବୀନ୍ଦ୍ର ପାଲଟା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଶୁଣିନଥିଲା । ଏହାପରେ ତାଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି ।