ପହଲଗାମ୍ ଆତଙ୍କୀ ହାମଲାରେ 26 ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଘୋଷଣା କଲେ ଜମ୍ମୁକାଶ୍ମୀର ସରକାର

ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା ।

ନୂଆଦିଲ୍ଲୀ: ପେହେଲଗାମ୍ ଆତଙ୍କୀ ହାମଲା ସାରା ଦେଶଙ୍କୁ ଦୋହଲାଇ ଦେଇଥିବା ବେଳେ ଏହି ଘଟଣାରେ 26 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ତେବେ ଗୃହମନ୍ତ୍ରୀ ଅମିତ ଶାହା ଆଜି ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ବର୍ତ୍ତମାନ ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି ।

ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କରିଛନ୍ତି ଜମ୍ମୁକାଶ୍ମୀର ସରକାର । ତେବେ ଆହତଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ ।

ସୁନ୍ଦର ବୈସରନ ଉପତ୍ୟକାକୁ ଟ୍ରେକିଂ ପାଇଁ ଆସିଥିବା ଏକ ପର୍ଯ୍ୟଟକ ଦଳକୁ ଟାର୍ଗେଟ କରାଯାଇଥିଲା। ଧର୍ମ ପଚାରି ପଚାରି ଗୁଳି ଚାଳନା କରିଥିଲେ । ଏହାରି ଭିତରେ 26 ପର୍ଯ୍ୟଟକ  ପ୍ରାଣ ହରାଇଥିବା ବେଳେ 10ରୁ ଅଧିକ ଆହତ ହୋଇଥିଲେ ।

ଆଜି ଜମ୍ମୁକାଶ୍ମୀର ପହଲଗାମ୍ ଗସ୍ତରେ ଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମୃତ ପର୍ଯ୍ୟଟକଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅନ୍ୟପଟେ ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାଉଦୀରୁ ଫେରି ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ, ସେ ତୁରନ୍ତ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବିମାନବନ୍ଦରରେ ଏକ ବଡ଼ ବୈଠକ କରିଥିଲେ । ଏହାରି ଭିତରେ ସୁରକ୍ଷା ବାହିନୀ ଆଜି ପାଲଟା ଜବାବ ଦେଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ଟଳି ଯାଇଛନ୍ତି ।