ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ଜାପାନ ଏକ ନୂତନ ସଫଳତା ହାସଲ କରିଛି । ଜାପାନ ଏପରି ଏକ ୱାଶିଂ ମେସିନ୍ ତିଆରି କରିଛି, ଯାହା ଜଣେ ବ୍ୟକ୍ତିଙ୍କୁ 15 ରୁ 20 ମିନିଟରେ ଧୋଇପାରିବ । ଆଉ ପରିଶ୍ରମ କରି ଗାଧୋଇବାର ଆବଶ୍ୟକତା ରହିବ ନାହିଁ । ବାସନ ଏବଂ ପୋଷାକ ଧୋଇଥିବା ମେସିନ୍ ବିଷୟରେ ସମସ୍ତେ ଜାଣିଥିବେ କିନ୍ତୁ ଓ୍ବାଶିଂମେସିନରେ ମଣିଷ ସଫା କେହି ଜାଣିନଥିବେ । ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ଜାପାନର ଏକ ସାଇନ୍ସ କମ୍ପାନୀ ଦ୍ବାରା ଏହାକୁ ବିକଶିତ କରାଯାଇଛି । ଏହାର ନାମ ମିରାଇ ନିଙ୍ଗେନ୍ ସେଣ୍ଟାକୁକି । ଏହା ସ୍ପାର ଅନୁଭୂତି ପ୍ରଦାନ କରିବ । ଏଥିରେ ମଣିଷକୁ ସଫା କରିବା ପାଇଁ ଉନ୍ନତ ଜଳ ଜେଟ୍ ଏବଂ ମାଇକ୍ରୋ ଏୟାର ବବୁଲ୍ ରହିଥାଏ । ଜାପାନିଜ ପ୍ରକାଶନ ଆସାହି ଶିମ୍ବୁନଙ୍କ ରିପୋର୍ଟ ଅନୁଯାୟୀ, ଏହି ଯନ୍ତ୍ରଟି ପ୍ରଥମେ AI ର ସାହାଯ୍ୟରେ ଲୋକଙ୍କ ଶରୀରକୁ ବିଶ୍ଳେଷଣ କରିବ ଏବଂ ଆବଶ୍ୟକତା ଅନୁଯାୟୀ ଶରୀରକୁ ସଫା କରିବ ।
କିପରି ସଫା କରିବ ଏହି ମେସିନ- ସର୍ବପ୍ରଥମେ ବ୍ୟକ୍ତିଙ୍କୁ ଏକ ସ୍ୱଚ୍ଛ ପୋଡରେ ବସିବାକୁ ପଡିବ । ଏଥିରେ ଅଧା ଉଷୁମ ପାଣି ଭରି ହୋଇ ରହିଥିବ । ଏହା ପରେ ହାଇ ସ୍ପିଡ୍ ଜେଟରୁ ଛୋଟ ବବଲ ଗଠନ ଆରମ୍ଭ ହେବ, ଯାହା ବ୍ୟକ୍ତିଙ୍କର ଚର୍ମରେ ଥିବା ମଇଳାକୁ ସଫା କରିବ ଏବଂ ଚର୍ମ ସଂସ୍ପର୍ଶରେ ଆସିବା ପରେ ଫାଟିଯିବ । ମେସିନ୍ ମଧ୍ୟ ଆପଣଙ୍କ ଶରୀର ବିଷୟରେ ସୂଚନା ସଂଗ୍ରହ ଜାରି ରଖିବ । ଏହାପରେ ଉପଯୁକ୍ତ ତାପମାତ୍ରା ଅନୁସାରେ, ଶରୀରକୁ ସଫା କରିବ । ଏହି ମେସିନ୍ କେବଳ ମାନବ ଶରୀରକୁ ସଫା କରିବ ନାହିଁ ବରଂ ଲୋକଙ୍କ ମନକୁ ମଧ୍ୟ ଶାନ୍ତି ପ୍ରଦାନ କରିବ । ତେବେ ଏହାର ଦାମ ନେଇ ବର୍ତ୍ତମାନ ସୁଦ୍ଧା ଖୁଲାସା କରାଯାଇ ନାହିଁ ।