fbpx

ଏସିଆ କପରେ ଭାରତକୁ ବଡ଼ ଝଟକା: ଟୁର୍ଣ୍ଣାମେଣ୍ଟ ଅଧାରୁ ଭାରତ ଫେରିଲେ ବୁମ୍ରା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ନେପାଳକୁ ଭେଟିବ । ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା । ଫଳରେ ଦୁଇ ଟିମ୍ ୧-୧ ପଏଣ୍ଟ ଭାଗ କରିଥିଲେ । ନେପାଳ ବିପକ୍ଷ ମ୍ୟାଚ ଭାରତ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହା ମଧ୍ୟରେ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା ।

ଗତକାଲି ପାକିସ୍ତାନ ବିପକ୍ଷ ମ୍ୟାଚ ବାତିଲ ହେବା ପରେ ପରବର୍ତ୍ତୀ ମ୍ୟାଚ ଭାରତ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ । ସେପ୍ଟେମ୍ବର ୪ରେ ନେପାଳ ବିପକ୍ଷ ମ୍ୟାଚ ଭାରତକୁ ଯେନତେନ ପ୍ରକାରେଣ ଜିତିବାକୁ ପଡ଼ିବ । ସେଥିପାଇଁ ଭାରତକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ପଡ଼ିବ । ମାତ୍ର ବୁମ୍ରାଙ୍କ ପରି ଜଣେ ଅଭିଜ୍ଞ ପେସର ଅଚାନକ ଘରକୁ ଫେରିବା ପରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି ।

ତେବେ କୌଣସି ବ୍ୟକ୍ତିଗତ କାରଣରୁ ବୁମ୍ରା ଭାରତ ଫେରିଯାଇଥିବା ଜଣାପଡ଼ିଛି । ମାତ୍ର ଏହା ମଧ୍ୟରେ ପୁଣି ଏକ ଭଲ ଖବର ଆସିଛି । ବୁମ୍ରା ଖୁବଶୀଘ୍ର ଫେରି ଟିମ୍ ସହ ସାମିଲ ହେବେ । ସେ ନେପାଳ ବିପକ୍ଷ ମ୍ୟାଚ ଖେଳିବେନି, ମାତ୍ର ସୁପର-୪ ପାଇଁ ଟିମ୍ ଇଣ୍ଡିଆ ସହ ରହିବେ । ସୂଚନାଯୋଗ୍ୟ ଯେ, ଆଘାତଜନିତ କାରଣରୁ ଦୀର୍ଘଦିନ ଧରି ଦଳଠାରୁ ଦୂରେଇ ରହିବା ପରେ ବୁମ୍ରା ନିକଟରେ ଟିମ୍ ଇଣ୍ଡିଆକୁ ଫେରିଥିଲେ । ପିଠିରେ ବାରମ୍ବାର ସମସ୍ୟା ଦେଖା ଦେବାରୁ ଗତ ମାର୍ଚ୍ଚରେ ନ୍ୟୁଜିଲାଣ୍ଡରେ ତାଙ୍କର ସର୍ଜରୀ ହୋଇଥିଲା । ତା’ ପରଠାରୁ ସେ ଫିଟନେସ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଏହାପରେ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ତେବେ ବୁମ୍ରାଙ୍କ ଅନୁପସ୍ଥିତିରେ ଏବେ ପ୍ଲେଇଂ-୧୧ରେ ଅଭିଜ୍ଞ ପେସର ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ । ସାମିଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳାଯାଇନଥିଲା । ସାମିଙ୍କ ବ୍ୟତୀତ ମହମ୍ମଦ ସିରାଜ ଓ ଶାର୍ଦୁଲା ଠାକୁରଙ୍କ ଉପରେ ଏବେ ବୋଲିଂ ଭାର ନ୍ୟସ୍ତ ରହିବ ।

Get real time updates directly on you device, subscribe now.