fbpx

ଝାରସୁଗୁଡ଼ା ଉପ ନିର୍ବାଚନ: ଆଜି ନିର୍ଣ୍ଣୟ ହେବ ପ୍ରାର୍ଥୀଙ୍କ ଭାଗ୍ୟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପ ନିର୍ବାଚନ ନିମନ୍ତେ ଗତ ୧୦ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା । ୧୩ ତାରିଖ ସକାଳେ ଭୋଟ ଗଣତି ଆରମ୍ଭ ସହ ପ୍ରକାଶ ପାଇବ ଫଳାଫଳ । ନିର୍ଣ୍ଣୟ ହେବ ପ୍ରାର୍ଥୀଙ୍କ ଭାଗ୍ୟ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ସେ କହିଛନ୍ତି ଭୋଟ ଗଣତି ପାଇଁ ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଥମେ ପୋଷ୍ଟାଲ ଭୋଟ ଗଣନା କରାଯିବ । ସାଢେ ୮ଟାରୁ ଇଭିଏମ୍ ଗଣନା ଆରମ୍ଭ ହେବ । ଏହି ଗଣତି ପାଇଁ ୧୪ଟି କାଉଣ୍ଟିଂ ଟେବୁଲର ବ୍ୟବସ୍ଥା କରାଯାଇଛି । ତେବେ ୨୫୩ଟି ବୁଥ ଥିବାରୁ ୧୮ ରାଉଣ୍ଡ ପରିବର୍ତ୍ତେ ୧୯ ରାଉଣ୍ଡ ଗଣତି ହେବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି । ସନ୍ଧ୍ୟା ୪ଟାରୁ ୬ଟା ଭିତରେ ଫଳାଫଳ ଆସିବ ବୋଲି ସେ ମଧ୍ୟ କହିଛନ୍ତି ।

ଗଣନା ତଦାରଖ କରିବା ଲାଗି କେନ୍ଦ୍ରୀୟ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁଭରଭାଇଜର ଓ ଜଣେ ସହାୟକ ନିୟୋଜିତ ହେବେ । ଏହାସହ ଜଣେ ମାଇକ୍ରୋ ଅବଜରଭର ମଧ୍ୟ ଉପସ୍ଥିତ ରହିବେ । ରାଉଣ୍ଡ ୱାରୀ ଫଳାଫଳ ଘୋଷଣା ପାଇଁ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଣ୍ଟିଂ ସେଣ୍ଟରରେ ଉପସ୍ଥିତ ରହିପାରିବେ । ଭୋଟ ଗଣତି କେନ୍ଦ୍ରର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭିତରେ ଅର୍ଦ୍ଧ ସୁରକ୍ଷା ବଳ ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହେବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣି ପାରିବେ ବୋଲି ଶ୍ରୀ ଧଳ କହିଛନ୍ତି ।ସୂଚନାଯୋଗ୍ୟ ଯେ ଏହି ଉପ ନିର୍ବାଚନରେ ବିଜେଡି ପକ୍ଷରୁ ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ୯ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Get real time updates directly on you device, subscribe now.