fbpx

ପଡିଆରେ ଅସଲ ଯାଦୁ ଦେଖାଇଲେ ପୂର୍ବତନ ଅଧିନାୟକ ଜୋ ରୁଟ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ । କେବଳ ସେତିକି ନୁହେଁ ଏହି ମ୍ୟାଚରେ ତାଙ୍କ ୧୧୫ ରନର ପାଳି ସହିତ ଅନ୍ୟ ଏକ କାରନାମା ତାଙ୍କୁ ଚର୍ଚ୍ଚାରେ ରଖିଛି । ଏହି ମ୍ୟାଚ ସମୟରେ ବ୍ୟାଟିଂରେ ସମସ୍ତଙ୍କୁ ମନୋରଞ୍ଜନ ଯୋଗାଇଥିଲେ ରୁଟ । ଏହା ସହିତ ସେ ପଡିଆ ଭିତରେ ଏକ ଯାଦୁ ମଧ୍ୟ ଦେଖାଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ବ୍ୟାଟିଂ ସମୟରେ ସେ ଏକ ଚମତ୍କାର କାରନାମା କରିଛନ୍ତି । ନନ୍ ଷ୍ଟ୍ରାଇକରେ ଠିଆ ହୋଇଥିବା ବେଳେ ହଠାତ ତାଙ୍କ ବ୍ୟାଟକୁ ସେ ଛାଡି ଦେଇଥିଲେ । ତେବେ ଆଶ୍ଚର୍ଯ୍ୟର ଘଟଣା ହେଉଛି ତାଙ୍କ ବ୍ୟାଟ ତଳେ ଖସି ନ ପଡି ବରଂ ବିନା ସାହାରାରେ ସେମିତି ଠିଆ ହୋଇ ରହିଛି । ଏହି ଘଟଣା ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ ଏହାପର କାଇଲ ଜାମିସନ ବୋଲିଂ କରିବାରୁ ସେ ବ୍ୟାଟ ଧରି ପୁଣି ଥରେ ଦୌଡିବା ଆରମ୍ଭ କରିଥିଲେ । ଏହାପରେ ଜୋ ରୁଟଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଭିଡିଓକୁ ଲାଇକ କରିବା ସହିତ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଯେ, “ମୁଁ ମାନୁଛି ଯେ, ରୁଟ ଜଣେ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ, କିନ୍ତୁ ଏ କି ପ୍ରକାର ଯାଦୁ??’ ଜୋ ରୁଟ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଅପରାଜିତ ୧୧୫ ରନର ଏକ ଦମଦାର ପାଳି ଖେଳିଛନ୍ତି । ଯାହାଦ୍ୱାରା ୨୭୭ ରନର ଏକ ବଡ ଲକ୍ଷ୍ୟକୁ ହାସଲ କରିବା ସହ ସିରିଜରେ ୧-୦ରେ ଆଗୁଆ ହୋଇପାରିଛି ଇଂଲଣ୍ଡ । ଏହା ବ୍ୟତୀତ ଆଲିଷ୍ଟାର କୁକଙ୍କ ପରେ ଦ୍ୱିତୀୟ ଇଂଲଣ୍ଡ ଖେଳାଳି ଭାବେ ଟେଷ୍ଟରେ ରୁଟ ୧୦ ହଜାର ରନ ମଧ୍ୟ ପୂରଣ କରିଛନ୍ତି ।

Get real time updates directly on you device, subscribe now.