ମତଦାନ ବେଳେ ହିଂସା: ୪ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପଞ୍ଚାୟତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଏଥିରେ ବଳି ପଡ଼ିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ବୁଥ୍ ଜବରଦଖଲକାରୀଙ୍କ ଆକ୍ରମଣରେ ଦୁଇଜଣ ରିପୋର୍ଟର ଓ ୨ ଜଣ କ୍ୟାମେରାମ୍ୟାନ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପୁରୀ ଜିଲ୍ଲା କଣାସ ବ୍ଲକରେ ଏହି ଆକ୍ରମଣ କରାଯାଇଛି । ବ୍ଲକର ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଜାରି ରହିଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ନ୍ୟୁଜ୍ ସେଭେନର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାମ୍ୟାନ, ନ୍ୟୁଜ୍ ୧୮ ଓଡ଼ିଆର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ମୋଟ ୪ ଜଣ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି ।

ଅନ୍ୟ ଏକ ଘଟଣାକ୍ରମେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ବୁଥ୍ ଭିତରେ ପଶି ସଂଘବଦ୍ଧ ଆକ୍ରମଣ କରିଥିବା ଜଣାପଡ଼ିଛି । ସେହିପରି ଅଲଣ୍ଡା ପଞ୍ଚାୟତ ୪ ନମ୍ବର ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩୦ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।