ମୃତ୍ୟୁ ପରେ ପ୍ରେତଲୋକରୁ ପିତୃଲୋକର ଯାତ୍ରା… କାହିଁକି ଥାଏ ଦୁଃଖ, ଶୋକ ଓ ଯନ୍ତ୍ରଣା ?

ଓଡ଼ିଶା ଭାସ୍କର: ବେଦ, ଉପନିଷଦ ଓ ଶ୍ରୀମଦ୍ ଭଗବତ୍ ଗୀତା ପ୍ରକୃତ ଭାବରେ ଆମ ଜାତି ଧର୍ମର ଦିଗଦର୍ଶନ ଦେଇଅଛି। ଆଜିର ହିନ୍ଦୁ ସମାଜ ବହୁ କ୍ଷେତ୍ରରେ ତା’ର ଧର୍ମ ଓ ଆଚରଣକୁ ଭୁଲି ଯାଇ ଥିଲେ ହେଁ କେତେକ ବିଧି ବିଧାନକୁ ବିଧବଦ୍ଧ ଭାବେ ପାଳନ କରିବାକୁ ବାଧ୍ୟ ହୋଇଛି । ପିତୃମାତୃ ଶ୍ରାଦ୍ଧ, ତର୍ପଣର ପ୍ରଚଳନ ଏବେ ବି ଆମ ହିନ୍ଦୁ ଆର୍ଯ୍ୟ ଧର୍ମର ଏକ ବୈଦିକ ପରମ୍ପରା ରୂପେ ଘରେ ଘରେ ପ୍ରଚଳିତ । କୁଳ ବା ବଂଶ ରକ୍ଷା କେବଳ ପିଣ୍ଡଦାନ ଗ୍ରହଣ ଆଶାରେ ମଣିଷ ବିଚାର କରିଥାଏ ବୋଲି ଜଣାପଡ଼େ । କାରଣ ଆମର ହିନ୍ଦୁ ସନାତନ ଧର୍ମରେ ପୂର୍ବଜନ୍ମ ଓ ପରଜନ୍ମ, ପ୍ରେତଲୋକ, ପିତୃଲୋକ ଇତ୍ୟାଦିର ଧାରଣା ରହିଛି । ଆମ ଧର୍ମର ବିଶ୍ବାସ ଯେଉଁ ଦର୍ଶନ ଉପରେ ପ୍ରତିଷ୍ଠିତ, ତାହାହିଁ ଆତ୍ମ ଧର୍ମ ବୋଲି ବହୁ ଶାସ୍ତ୍ର ଅନୁମୋଦିତ । ଆତ୍ମ ଧର୍ମ ଶାନ୍ତି ଓ ଆନନ୍ଦର ଆକାଂକ୍ଷା ପୋଷଣ କରିଥାଏ, ତାହା କେବଳ ମଣିଷ ଜୀବନ କାଳରେ ନୁହେଁ ମରିଗଲା ପରେ ପ୍ରେତଲୋକରେ ଏବଂ ପ୍ରେତଲୋକରୁ ଯାଇ ପିତୃଲୋକରେ ମଧ୍ୟ ଟିକିଏ ଶାନ୍ତି ଓ ଆନନ୍ଦର ଆଶା ରଖିଥାଏ। ତେଣୁ ମରିବା ପୂର୍ବରୁ ମଣିଷର ପୁତ୍ରପୌତ୍ରାଦି ଓ ଆତ୍ମୀୟ ସ୍ୱଜନମାନଙ୍କ ଦ୍ବାରା ଅନୁଷ୍ଠିତ ପୂର୍ବ ଷୋଡ଼ଷ; ଚାନ୍ଦ୍ରାୟଣ, ବିଷ୍ଣୁପୂଜା; ଦାନ ଇତ୍ୟାଦିର ବ୍ୟବସ୍ଥା କରିଥାନ୍ତି।

ବୈଦିକ କର୍ମକାଣ୍ଡରେ ପ୍ରେତପୁରୀ ବର୍ଣନା ସୂକ୍ଷ୍ମ ଶରୀରର ଅବସ୍ଥା, ଦୁଃଖ, ଶୋକ, ଯନ୍ତ୍ରଣା ଇତ୍ୟାଦି ବିଭିନ୍ନ ପୁରାଣରେ ଦେଖିବାକୁ ମିଳେ। ତହିଁରୁ ନିରାକରଣ ପାଇଁ ପ୍ରେତଲୋକର ଭୟାବହ ପରିସ୍ଥିତି, ଆଲୋକ; ପବନ ଓ ଜଳର ଅଭାବ ଦୂର କରିବାକୁ ମୃତାହ କ୍ରିୟା ପଦ୍ଧତି ସୃଷ୍ଟି ହୋଇଛି । ମୃତ ଦେହର ସଂସ୍କାର ପୂର୍ବରୁ ଅର୍ଥ ପଥ ପିଣ୍ଡଦାନର ବିଧାନ ମଧ୍ୟ ଏପର୍ଯ୍ୟନ୍ତ ଆମ ପ୍ରେତ କ୍ରିୟାର ଆରମ୍ଭରେ ହୋଇଥାଏ। ତାପରେ ତୁଠରେ ପ୍ରଥମ ଦିନଠାରୁ ଦ୍ୱାଦଶ ଦିନ ପର୍ଯ୍ୟନ୍ତ ଯେଉଁ ସବୁ କ୍ରିୟା ମାଧ୍ୟମରେ ପ୍ରେତ ଯଜ୍ଞ ସମାପନ ହୁଏ, ତାହା ଅତି ପବିତ୍ର ଭାବଧାରାରେ ସୃଷ୍ଟି ହୋଇଅଛି । ପଞ୍ଚଭୂତର ପୂଜା, ମୃତ ବ୍ୟକ୍ତିର ନୂତନ ଘଟରୁ ପରିକଳ୍ପନାରେ ବିଭିନ୍ନ ପୂଜା, ପ୍ରେତଲୋକରେ ଯନ୍ତ୍ରଣା ଅବସାନ ପାଇଁ ଦାନ ଧାନ, ବ୍ରାହ୍ମଣ ଭୋଜନ, ନାମ କୀର୍ତ୍ତନ ପ୍ରଭୃତି ପ୍ରେତପୁରୀର ସୂକ୍ଷ୍ମ ଶରୀରକୁ ପିତୃପୁରୁଷ ପର୍ଯ୍ୟନ୍ତ ଟିକିଏ ଉର୍ଦ୍ଧ୍ୱଗାମୀ କରିଥାଏ । ସାମାଜିକ ଓ ପାରିବାରିକ ସ୍ନେହ ମମତା ବନ୍ଧନରେ ପରସ୍ପର ପ୍ରତି ଶ୍ରଦ୍ଧା ପ୍ରଦର୍ଶନ ଏକ ଧର୍ମ ଧାରାରେ ପର୍ଯ୍ୟବସିତ ହେତୁ ମୃତ ବ୍ୟକ୍ତି ପ୍ରତି ସେଇ ଶ୍ରଦ୍ଧା ଓ ସ୍ମୃତିଚାରଣ ପାଇଁ ଶ୍ରାଦ୍ଧ ତର୍ପଣ ପୂରା ପିତୃ ପିତାମହ, ମାତୃ ମାତାମହ ଇତ୍ୟାଦିଙ୍କୁ ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନର ବିଧାନ ହୋଇଛି ।