ଘରୁ ମିଳିଲା 3ଜଣଙ୍କ ମୃତଦେହ, ମାଆଙ୍କ ଶବ ପାଖରେ ରହିଥିଲା ଫୁଲ

ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କଲା ପୋଲିସ୍ । ମୃତ୍ୟୁର କାରଣ ଅସ୍ପଷ୍ଟ ।

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ପରୀକ୍ଷାର ପ୍ରଥମ ମହିଳା ଟପର୍ ଶାଲିନୀ ବିଜୟଙ୍କ ସହ ତାଙ୍କ ଭାଇ IRS ଅଧିକାରୀ ମନୀଷ ବିଜୟ ଏବଂ ମାଆ ଶକୁନ୍ତଳା ଅଗ୍ରୱାଲଙ୍କ ମୃତଦେହ ମିଳିଛି । ଏହି ତିନି ଜଣଙ୍କ ମୃତଦେହ କୋଚିରେ କେନ୍ଦ୍ରୀୟ ଉତ୍ପାଦ ଏବଂ GSTର ଅତିରିକ୍ତ କମିଶନର ମନୀଷଙ୍କ ସରକାରୀ ବାସଭବନରୁ ମିଳିଛି ।

ଶାଲିନୀ ଝାଡ଼ଖଣ୍ଡ ସମାଜ କଲ୍ୟାଣ ବିଭାଗରେ ସହାୟକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ଥିଲେ । କିନ୍ତୁ ସେ ୨୦୨୦ ମସିହାରୁ ଛୁଟିରେ ଥିଲେ । ପରିବାରଟି ମୂଳତଃ ଝାଡ଼ଖଣ୍ଡର, କେରଳର ଏର୍ଣ୍ଣାକୁଲମ ଜିଲ୍ଲାର କକ୍କନାଡ କଷ୍ଟମ୍ସ କ୍ୱାର୍ଟର୍ସରେ ରହୁଥିଲେ ।

ଛୁଟି ନେଇ ଆଉ ଅଫିସ ଆସିନଥିଲେ-  ଯେତେବେଳେ ଆଇଆରଏସ ମନୀଷ ବିଜୟ ଚାରି ଦିନ ଛୁଟି ପରେ ମଧ୍ୟ କାମକୁ ଫେରି ନଥିଲେ । ଏହାପରେ ତାଙ୍କର ଜଣେ ସହକର୍ମୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ । ମନୀଷ ବିଜୟଙ୍କ ବାସଭବନରେ ପହଞ୍ଚିବା ପରେ, ସେ ସେଠାରୁ ଏକ ଦୁର୍ଗନ୍ଧ ଅନୁଭବ କଲେ । ଏହା ସଙ୍ଗେ ସଙ୍ଗେ ପୋଲିସକୁ ରିପୋର୍ଟ କରିଥିଲେ ।

ସୂଚନା ଅନୁଯାୟୀ, ମନୀଷ ଏବଂ ଶାଲିନୀଙ୍କ ମୃତଦେହ ଭିନ୍ନ ଭିନ୍ନ କୋଠରୀରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମାଆ ଶକୁନ୍ତଳାଙ୍କୁ ବିଛଣାରେ ମୃତ ଅବସ୍ଥାରେ ପାଇଥିଲେ। ପୋଲିସ ଶକୁନ୍ତଳାଙ୍କ ମୃତଦେହକୁ ଏକ ଧଳା କପଡାରେ ଗୁଡ଼ା ହୋଇଥିବା ଏବଂ ତାଙ୍କ ପାଖରେ ଫୁଲ ରଖାଯାଇଥିବା ପାଇଲା। ପୋଲିସ ସନ୍ଦେହ କରୁଛି ଯେ ମାଆଙ୍କର ମୃତ୍ୟୁ ହୋଇଥାଇପାରେ କିମ୍ବା ତାଙ୍କୁ ହତ୍ୟା କରାଯାଇଥାଇପାରେ ଏବଂ ତା’ପରେ ଭାଇ ଏବଂ ଭଉଣୀ ଆତ୍ମହତ୍ୟା କରିଥାଇପାରନ୍ତି ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।