fbpx

ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଉଦୟ ଉମେଶ ଲଲିତ, ଆସନ୍ତା ୨୭ରେ ନେବେ ଶପଥ

ମାତ୍ର ୭୪ ଦିନ କାର୍ଯ୍ୟ ଭାର ସମ୍ଭାଳିବେ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ):  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କୁ ନିଯୁକ୍ତି ଦିଆଯାଇଛି । ଏ ସମ୍ପର୍କିତ ଏକ ବିଜ୍ଞପ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି । ଜଷ୍ଟିସ୍‌ ଲଲିତଙ୍କ ନାମ ବର୍ତ୍ତମାନର ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଏନ୍‌.ଭି.ରମନ୍ନାଙ୍କୁ ସୁାରିଶ କରିଥିଲେ । ଜଷ୍ଟିସ୍‌ ଲଲିତ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରମନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୨୬ ତାରିଖରେ ଶେଷ ହେଉଛି । ୨୭ ତାରିଖରେ ଜଷ୍ଟିସ ଲଲିତ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ।

ତେବେ ସେ ମାତ୍ର ୭୪ ଦିନ ପାଇଁ ଏହି ପଦବୀରେ ରହିବେ । କାରଣ ଜଷ୍ଟିସ ଲଲିତ ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ । ଜଷ୍ଟିସ ଲଲିତ ସୁପ୍ରିମକୋର୍ଟର ସେହି କଲେଜିୟମ୍‌ର ନେତୃତ୍ୱ ନେବେ ଯେଉଁ କଲେଜିୟମ୍‌ରେ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ କୌଲ, ଜଷ୍ଟିସ ନଜିର ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀ ସାମିଲ ହେବେ । ତେବେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ସେପ୍ଟେମ୍ବର ୨୩ରେ ଅବସର ଗ୍ରହଣ କରୁଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ଏମ୍‌.କେ.ଯୋଶେଫ ସାମିଲ ହେବେ । ଅନ୍ୟପକ୍ଷରେ ଜଷ୍ଟିସ ଲଲିତ ନଭେମ୍ବର ୮ରେ ଅବସର ନେବା ପରେ ତାଙ୍କ ସ୍ଥାନରେ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ହେବେ । ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ ।

ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ ଲଲିତ ମୁସଲମାନ ସମ୍ପ୍ରଦାୟର ତିନି ତଲାକ ଭଳି ପ୍ରଥା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନେକ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ରହିଥିଲେ । ସେ ୨ୟ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଯିଏ କି ସୁପ୍ରିମକୋର୍ଟର ବାର୍‌ରୁ ସିଧାସଳଖ ପଦୋନ୍ନତି ପାଇ ପ୍ରଧାନ ବିଚାରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଜଷ୍ଟିସ ଏସ୍‌.ଏମ୍‌.ସିକରୀ ୧୯୬୪ ମାର୍ଚ୍ଚ ମାସରେ ଶୀର୍ଷ ଅଦାଲତ ପୀଠରୁ ସିଧାସଳଖ ପଦୋନ୍ନତି ପାଇଥିବା ପ୍ରଥମ ପ୍ରଧାନ ବିଚାରପତି ଥିଲେ ।

Get real time updates directly on you device, subscribe now.