କମଲଙ୍କ ପାଇଁ ତାମିଲନାଡ଼ୁ-କର୍ଣ୍ଣାଟକ ଭିତରେ ଫାଟ, ତେଜିଲା ଭାଷା ବିବାଦ

ପୁଣି ବିବାଦରେ ତାମିଲ ଅଭିନେତା ତଥା ରାଜନେତା କମଲ ହାସନ । କନ୍ନଡ଼ ଭାଷା ତାମିଲରୁ ଜନ୍ମ କହି ଅଡ଼ୁଆରେ କମଲ ।

ହାଇଦ୍ରାବାଦ: ପୁଣି ବିବାଦରେ ତାମିଲ ଅଭିନେତା ତଥା ରାଜନେତା କମଲ ହାସନ । ନିକଟରେ ସାଉଥ୍ ସୁପରଷ୍ଟାର କମଲ ହାସନ ଚେନ୍ନାଇରେ ତାଙ୍କ ଫିଲ୍ମ ‘ଥଗ୍ ଲାଇଫ୍’ର ଅଡିଓ ଲଞ୍ଚ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠାରେ ସେ କନ୍ନଡ ଭାଷା ବିଷୟରେ ଏକ ବୟାନ ଦେଇଥିଲେ। ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। କିଛି ଲୋକ କର୍ଣ୍ଣାଟକରେ ତାଙ୍କ ଆଗାମୀ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି।

କମଲ ହାସନଙ୍କ ବିବାଦୀୟ ବୟାନ

ଚେନ୍ନାଇରେ ତାଙ୍କ ଆଗାମୀ ଫିଲ୍ମ ‘ଥଗ୍ ଲାଇଫ୍’ ର ଅଡ଼ିଓ ଲଞ୍ଚ ସମୟରେ ଦେଇଥିବା ଏକ ବୟାନ ଏବେ କମଲଙ୍କୁ ଅଡ଼ୁଆରେ ପକାଇଛି । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ-କଳାକାର ସିଲମ୍ବରାସନ ଏବଂ ତ୍ରିଶା ମଧ୍ୟ ଉପସ୍ଥିତ ଥିଲେ । ଥଗ ଲାଇଫର ପ୍ରମୋସନ ସମୟରେ କମଲ କହିଥିଲେ, ମୋ ଜୀବନ ଓ ମୋ ପରିବାର ତାମିଲ ଭାଷା । କନ୍ନଡ଼ ଭାଷା ମଧ୍ୟ ତାମିଲରୁ ଜନ୍ମ । କାର୍ଯ୍ୟକ୍ରମରେ ଉପସ୍ଥିତ କନ୍ନଡ ଅଭିନେତା ଶିବରାଜକୁମାରଙ୍କୁ ଇଙ୍ଗିତ କରି କମଲ ଦେଇଥିବା ଏହି ବୟାନକୁ ନେଇ ଏବେ ତମ୍ବିତୋଫାନ ଦେଖାଦେଇଛି ।

ଶିବ ରାଜକୁମାରଙ୍କ ସମ୍ମୁଖରେ କମଲ ହାସନଙ୍କ ଏହି ବୟାନ ସମଗ୍ର କର୍ଣ୍ଣାଟକରେ ଆକ୍ରୋଶ ସୃଷ୍ଟି କରିଛି। ସୋସିଆଲ ମିଡିଆ ଏବଂ ରାଜନୈତିକ ନେତାମାନେ କମଲ ହାସନଙ୍କ ଏହି ବୟାନକୁ ସମାଲୋଚନା କରିଛନ୍ତି। ଅନେକ ଲୋକ ଦାବି କରିଛନ୍ତି ଯେ ଅଭିନେତା ତାମିଲକୁ ପ୍ରୋତ୍ସାହିତ କରିବା ପାଇଁ କନ୍ନଡଙ୍କ ଗର୍ବକୁ ଅପମାନିତ କରିଛନ୍ତି। ଯଦିଓ କମଲ ହାସନଙ୍କ ମନ୍ତବ୍ୟ ଏକତା ପ୍ରଦର୍ଶନ କରିବା ପାଇଁ ଥିଲା, କିନ୍ତୁ ଅନେକ କନ୍ନଡ଼ ଲୋକେ, ଏହାକୁ ସେମାନଙ୍କର ଭାଷାଗତ ପରିଚୟର ଅପମାନ ଭାବରେ ଗ୍ରହଣ କରିଛନ୍ତି ।

କମଲଙ୍କ ମନ୍ତବ୍ୟକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ସ୍ଥାନୀୟ ଲୋକମାନେ ନିନ୍ଦା କରିଥିଲେ ଏବଂ କନ୍ନଡ ଭାଷା ଏବଂ ଏହାର ଐତିହ୍ୟ ପ୍ରତି ଏହା ଅସମ୍ମାନଜନକ ବୋଲି କୁହାଯାଇଥିଲା। ତାଙ୍କ ବକ୍ତବ୍ୟ ପରେ,ଏବେ #BanThugLife ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

କମଲଙ୍କୁ ମାନସିକ ରୋଗୀ କହିଲେ ସିଦ୍ଦରମୈୟା
ତାମିଲନାଡୁର ଲୋକପ୍ରିୟ ଚେହେରା କମଲ ହାସନଙ୍କ ବୟାନକୁ ସହଜରେ ଗ୍ରହଣ କରିପାରିନାହାନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କମଲଙ୍କୁ ପାଗଳ କହିବା ସହ ଏଭଳି ବୟାନ କେବଳ ଭାଷା ବିବାଦକୁ ବଢ଼ାଉନି ବଂର ଦୁଇ ରାଜ୍ୟ ମଧ୍ୟରେ ତିକ୍ତତାକୁ ଅଧିକ ତ୍ରୀବ କରୁଛି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରୁଛନ୍ତି ବିଭିନ୍ନ କନ୍ନଡ ସମର୍ଥିତ ସଂଗଠନ । ପୋଷ୍ଟରକୁ ଜାଳି, କାଳି ଓ ଚପଲ ମାଡ କରି ଜୋରଦାର ବିକ୍ଷୋଭ କରାଯାଉଛି । ଏହା ସହ କିଛି ଏକ୍ସ ବ୍ୟବହାରକାରୀ କମଲଙ୍କୁ କନ୍ନଡ଼ବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ତେବେ ବିବାଦ ଭିତରେ କମଲ ହାସନ ରାଜ୍ୟସଭା ଯିବା ନେଇ ମଧ୍ୟ ଏକ ବଡ ଖବର ଆସିଛି ।