ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ଦୁଃଖଦ ଖବର । କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ପରଲୋକ ଘଟିଛି । କିଛିଦିନ ପୂର୍ବରୁ ଗୁରୁପ୍ରସାଦଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଗୁରୁପ୍ରସାଦ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି କୁହାଯାଉଛି । ତେଣୁ ମାନସିକ ଚାପ କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘର ଭିତରୁ ଗନ୍ଧ ଆସିବା ପରେ ଗୁରୁପ୍ରସାଦଙ୍କ ପଡ଼ୋଶୀ ପୋଲିସରେ ଖବର ଦେଇଥିଲେ । ବେଙ୍ଗାଲୁରୁର ଆପାର୍ଟମେଣ୍ଟରୁ ଗୁରୁପ୍ରସାଦଙ୍କ ଶବକୁ ପୋଲିସ ସଢ଼ା ଅବସ୍ଥାରେ ଜବତ କରିଥିଲା ।
ପୋଲିସ ଅଧିକାରୀଙ୍କ ମୁତାବକ, କିଛିଦିନ ପୂର୍ବରୁ ଗୁରୁପ୍ରସାଦଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଏନେଇ ଯାଞ୍ଚ କରୁଛି । କେବେ ଓ କେଉଁ ପରିସ୍ଥିତିରେ ଗୁରୁପ୍ରସାଦଙ୍କ ମୃତ୍ୟୁ ଘଟିଥିଲା ସେନେଇ ପୋଲିସ ସନ୍ଧାନ ଜାରି ରଖିଛି । ମୃତ୍ୟୁ ବେଳକୁ ଗୁରୁପ୍ରସାଦଙ୍କ ବୟସ ୫୨ ବର୍ଷ ହୋଇଥିଲା । ଗୁରୁପ୍ରସାଦ ଗମ୍ଭୀର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସେହି କାରଣରୁ ସେ କିଛି ଅଦାଲତ ସମ୍ବନ୍ଧିତ ମାମଲାର ସାମ୍ନା କରିଆସୁଥିଲେ । ତାଙ୍କର ଦ୍ୱିତୀୟ ପତ୍ନୀ ଏବେ ଗର୍ଭବତୀ ରହିଥିବା ବେଳେ ଦୁର୍ଘଟଣା ଦିନ ସେ ପରିବାର ସହ ଘରେ ରହିଥିଲେ । ଗୁରୁପ୍ରସାଦଙ୍କ ଅଚାନକ ବିୟୋଗ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଦେଇଛି । ତାଙ୍କ ସହ କାମ କରିଥିବା ଚଳଚ୍ଚିତ୍ରର ଜଗତର ଅନେକ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।