(Video) ପାର୍କିଂ ପାଇଁ ଆପାର୍ଟମେଣ୍ଟ ସେକ୍ରେଟେରିଙ୍କ ନାକ କାମୁଡ଼ିଦେଲେ ଅଫିସର, ସିସିଟିଭିରେ କଏଦ ସମ୍ପୂର୍ଣ୍ଣ ଘଟଣା

ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ । ପୋଲିସ କରୁଛି ତଦନ୍ତ ।

କାନପୁର: ଉତ୍ତର ପ୍ରଦେଶର କାନପୁରର ବିଥୁର ଥାନା ଅଞ୍ଚଳର ନାରାମାଉ ନିକଟରେ ଅବସ୍ଥିତ ରତନ ପ୍ଲାନେଟ୍ ଆପାର୍ଟମେଣ୍ଟରେ ପାର୍କିଂ ବିବାଦ ଭୟଙ୍କର ରୂପ ନେଇଛି । ପାର୍କିଂକୁ ନେଇ ଜଣେ ଅଫିସର ଆପାର୍ଟମେଣ୍ଟ ସଭାପତି ଏବଂ ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ନାକ କାମୁଡ଼ି ଦେଇଛନ୍ତି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଫ୍ଲାଟ୍ ମାଲିକ କ୍ଷିତିଜ ତାଙ୍କ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଅନ୍ୟ ଜଣଙ୍କ କାର ପାର୍କିଂ ଦେଖି ଆପାର୍ଟମେଣ୍ଟ ସୋସାଇଟି ସଭାପତି ରୂପେନ୍ଦ୍ରଙ୍କୁ ଫୋନରେ ଡାକିଥିଲେ। ରୂପେନ୍ଦ୍ର ଗାର୍ଡଙ୍କୁ କାର ହଟାଇବାକୁ କହିଥିଲେ, କିନ୍ତୁ କ୍ଷିତିଜ ତାଙ୍କୁ ତଳକୁ ଆସିବାକୁ କହିଥିଲେ।

ଯେତେବେଳେ ରୂପେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚିଲେ, କ୍ଷିତିଜ ପ୍ରଥମେ ତାଙ୍କ ସହିତ ଦୁର୍ବ୍ୟବହାର ଏବଂ ଧସ୍ତାଧସ୍ତି କରିଥିଲେ। ଏହା ପରେ ସେ ହଠାତ୍ ରୂପେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ, ତାଙ୍କ ନାକକୁ ଦାନ୍ତରେ କାମୁଡ଼ି ଦେଇଥିଲେ । କ୍ଷିତିଜ ଇମ୍ପୋର୍ଟ -ଏକ୍ସପୋର୍ଟ ଡିପାର୍ଟମେଣ୍ଟରେ ଅଫିସର ଭାବେ କାର୍ଯ୍ୟ କରୁଥିବା ଜଣ ପଡିଛି।

ସିସିଟିଭିରେ କଏଦ
ଘଟଣାଟି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଆହତ ରୂପେନ୍ଦ୍ରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ବର୍ତ୍ତମାନ ଭଲ ଥିବା ଜଣାପଡିଛି। ସମ୍ପୂର୍ଣ୍ଣ ଘଟଣା ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି, ଯାହା ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛି।

ପୋଲିସ ତଦନ୍ତ
ପୁଲିସଙ୍କ ଅନୁଯାୟୀ, ମାମଲାଟି ଅତ୍ୟନ୍ତ ଗମ୍ଭୀର। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରାଯାଉଛି ଏବଂ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ ବାସିନ୍ଦା ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସାକ୍ଷୀ, ପ୍ରମାଣ ଆଧାରରେ ପୋଲିସ ତଦନ୍ତ ଚଳାଇଛି ।