ଦେଶ ତୁଳନାରେ ଆଇପିଏଲକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ଭାରତୀୟ ଖେଳାଳି: କପିଲ୍ ଦେବ

ନୂଆଦିଲ୍ଲୀ ୦୮।୧୧: ଆଫଗାନିସ୍ତାନର ନ୍ୟୁଜିଲାଣ୍ଡଠାରୁ ପରାଜୟ ସହ ଭାରତର ଟି-୨୦ ବିଶ୍ଵକପ୍ ଅଭିଯାନ ଶେଷ ହୋଇଛି । ଏଥିସହ ପୁଣିଥରେ ଦଳର ବିଶ୍ଵ କପ୍ ଜିତିବା ସ୍ଵପ୍ନ ଭାଙ୍ଗି ଯାଇଛି । ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚରେ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ କରି ପରାଜିତ ହୋଇଥିଲା । ଏବେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପୂର୍ବତନ ଅଧିନାୟକ କପିଲ ଦେବ କଡା ପ୍ରତିକ୍ରିୟା ଦେଇଛନ୍ତି । ୧୯୮୩ ବିଶ୍ଵ କପ୍ ବିଜେତା କପିଲ୍ ଦେବଙ୍କ କହିବା କଥା କିଛି ଖେଳାଳି ଜାତୀୟ ଦଳ ପରିବର୍ତ୍ତେ ଆଇପିଏଲକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି।

କପିଲ୍ କହିଛନ୍ତି, ପରବର୍ତ୍ତୀ ବିଶ୍ କପ୍ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେବା ଉଚିତ୍ । ଭାରତୀୟ ଦଳକୁ ଆଇପିଏଲ ପରେ ଟି-୨୦ ବିଶ୍ଵ କପ୍ ପାଇଁ ବ୍ରେକ୍ ନେବା ଉଚିତ୍ । ସବୁଠୁ ବଡ଼ କଥା ଖେଳାଳିଙ୍କୁ ଆଇପିଏଲ ତୁଳନାରେ ଜାତୀୟ ଦଳକୁ ଗୁରୁତ୍ଵ ଦେବା ଉଚିତ୍ ।  ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଯଦି ଖେଳାଳି ଦେଶ ପାଇଁ ଖେଳିବା ବଦଳରେ ଆଇପିଏଲକୁ ଅଧିକ ଗୁରୁତ୍ଵ ଦେବେ ଆମେ ଆଉ କଣ କହି ପାରିବା । ଖେଳାଳିଙ୍କୁ ଦେଶ ପାଇଁ ଖେଳି ଗର୍ବ କରିବା ଉଚିତ୍ । କପିଲ୍ ଏହା ମଧ୍ୟ କହିଛନ୍ତି, ମୁଁ ଖେଳାଳିଙ୍କୁ ଆଇପିଏଲ ଖେଳିବାକୁ ମନା କରୁନାହିଁ। କିନ୍ତୁ ବିସିସିଆଇ ସଠିକ୍ ଢ଼ଙ୍ଗରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉଚିତ୍।  ବିସିସିଆଇ ବର୍ତ୍ତମାନ ଭବିଷ୍ୟତର ଦଳ ପ୍ରସ୍ତୁତ କରିବା କାମ ଏବେଠୁ ଆରମ୍ଭ କରି ଦେଉ।

ସୂଚନାଯୋଗ୍ୟ, ସୋମବାର ଭାରତ ଟି-୨୦ ବିଶ୍ଵକପରେ ନିଜର ଶେଷ ମ୍ୟାଚରେ ନାମିବିୟାଙ୍କୁ ଭେଟିବ । ଏହା ପରେ ଦଳ ନଭେମ୍ଵର ୧୭ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବ।  ଭାରତ ବିଶ୍ଵକପରେ  ନିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରିବାରୁ  ଟି-୨୦ ବିଶ୍ଵ କପର ସେମି ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛି ।