fbpx

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ନୋଟିସ୍ ପ୍ରତ୍ୟାହାର କରିବାକୁ ରାଜ୍ୟପାଳ ଗେହଲଟଙ୍କୁ କର୍ଣ୍ଣାଟକ କ୍ୟାବିନେଟର ପରାମର୍ଶ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏବେ କଂଗ୍ରେସ ସରକାର ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବେ ପରାମର୍ଶ ଦେଇଛନ୍ତି ଯେ ଏହି କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରାଯାଉ। ବାସ୍ତବରେ ମଇସୁର ଜମି ଆବଣ୍ଟନ ମାମଲାରେ କାହିଁକି ମାମଲା ମଞ୍ଜୁର କରାଯିବ ନାହିଁ, ସେ ନେଇ ସ୍ପଷ୍ଟୀକରଣ ଦେବାକୁ ନୋଟିସରେ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଛି। ଏବେ କଂଗ୍ରେସ କ୍ୟାବିନେଟ୍ କହିଛି ଯେ ନୋଟିସରେ ଅନେକ ଆଇନଗତ ତ୍ରୁଟି ରହିଛି। କାରଣ ଦର୍ଶାଅ ନୋଟିସକୁ ନେଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକ ଡକାଯାଇଥିଲା, ସିଦ୍ଧରମୈୟା ବ୍ୟକ୍ତିଗତ ଭାବେ ତାଙ୍କ ବିରୋଧରେ ଅଭିଯୋଗ ଆସିବାରୁ ବୈଠକରୁ ନିଜକୁ ଦୂରେଇ ରଖିଥିଲେ।

କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ ରାଜ୍ୟପାଳ ସିଦ୍ଧରମୈୟାଙ୍କୁ ୭ ଦିନ ସମୟ ଦେଇଥିଲେ। ଆଜି ଥିଲା ସପ୍ତମ ଦିନ। ଡିକେ ଶିବକୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସମସ୍ତ ନିୟମ, ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ରାଜ୍ୟପାଳ ତରବରିଆ ଭାବେ କାର୍ଯ୍ୟ କରିଛନ୍ତି ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜୁଲାଇ ୧୫ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ପଠାଯାଇଥିବା ରାଜ୍ୟପାଳଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ନେଇଥିଲେ। କର୍ଣ୍ଣାଟକ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିଏନ୍ ଦେଶାଇଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

କେବଳ ସେତିକି ନୁହେଁ। ଜୁଲାଇ ୨୬ତାରିଖରେ ଟିଜେ ଆବ୍ରାହମ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ମାଗିଥିଲେ। ଏହା ଏକ ବିସ୍ତୃତ ରିପୋର୍ଟ ଏବଂ ରାଜ୍ୟପାଳ କିଛି ମିନିଟ୍ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରନ୍ତି।

Get real time updates directly on you device, subscribe now.