fbpx

କର୍ଣ୍ଣାଟକର ଫଳାଫଳ ବଦଳାଇବ ଦେଶର ରାଜନୀତି: ବିଜେପି ହାରିଲେ କ’ଣ ହେବ, କଂଗ୍ରେସ ହାରିଲେ କ’ଣ ହେବ

ନୂଆଦିଲ୍ଲୀ: ଆଜି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ସମାପ୍ତ ହୋଇଛି । ଆସନ୍ତା ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଆସିଛି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ । ତେବେ ଅଧିକାଂଶ ସର୍ଭେ ରିପୋର୍ଟ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିପାରେ ବୋଲି ସର୍ଭେ କହୁଛି । ରାଜ୍ୟରେ ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା ।

ତେବେ ସବୁଠାରୁ ବଡ଼କଥା ହେଉଛି, କର୍ଣ୍ଣାଟକ ନିର୍ବାଚନ କାହିଁକି ଗୁରୁତ୍ୱପୂର୍ଣ୍ଣ? କର୍ଣ୍ଣାଟକର ଫଳାଫଳ ଦେଶର ରାଜନୈତିକି ପରିସ୍ଥିତି ଉପରେ ବଡ଼ ପ୍ରଭାବ ପକାଇବ ବୋଲି କାହିଁକି କୁହାଯାଉଛି? ପ୍ରତି ୫ ବର୍ଷରେ ସରକାର ବଦଳିବାର ପରମ୍ପରା କର୍ଣ୍ଣାଟକରେ ଦୀର୍ଘ ୩୮ ବଷ ତଳୁ ରହିଆସିଛି । ତେଣୁ ବିଜେପି ପୁଣି ଥରେ କ୍ଷମତା ହାତେଇବାକୁ ସଂଘର୍ଷ କରୁଥିବା ବେଳେ କଂଗ୍ରେସ ମଧ୍ୟ ବିଜେପିକୁ ହଟାଇବାକୁ ଜୋରଦାର ସଂଘର୍ଷ କରିଛି । ଅନ୍ୟପକ୍ଷରେ ୨୦୧୮ ପରି ଏଥର ମଧ୍ୟ ଜେଡିଏସ୍ କିଙ୍ଗମେକର ହେବାକୁ ପ୍ରୟାସ କରୁଛି ।

ସାରା ଦେଶରେ ଏବେ ମୋଦୀ ବିରୋଧୀମାନେ ଏକଜୁଟ୍ ହେବା ନେଇ ପ୍ରୟାସ ଆରମ୍ଭ କରିଦେଇଥିବା ବେଳେ ନିକଟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବ ପରେ ବିରୋଧୀଙ୍କ ମଧ୍ୟରେ ଏକତାଭାବ ବହୁଗୁଣିତ ହୋଇଯାଇଛି । ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ପରି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଅଧିକାଂଶ ରାଜ୍ୟରେ ବିଜେପିକୁ କଡ଼ା ସଂଘର୍ଷ କରିବାକୁ ପଡ଼ିବ । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ରହିଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ଗତଥର କଂଗ୍ରେସ ସରକାର ଗଠନ କରିଥିଲା । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମୋଦୀଙ୍କର କଟ୍ଟର ବିରୋଧୀ ଭାବେ ଜଣାଶୁଣା ଅଟନ୍ତି ।

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଯଦି ଅଧିକାଂଶ ରାଜ୍ୟରେ ବିଜେପି ପରାଜୟ ବରଣ କରେ ତେବେ ସାରା ଦେଶରେ ଏକ ମୋଦୀ ବିରୋଧୀ ହାୱା ସୃଷ୍ଟି ହୋଇପାରେ । କର୍ଣ୍ଣାଟକରେ ପରାଜୟ ବରଣ କଲେ ମୋଦୀ ପ୍ରଚାର ଅଭିଯାନର ଫଳାଫଳ ସତେ ଯେମିତି ବିଫଳ ହୋଇଯିବ । ଏଥିସହିତ ଦକ୍ଷିଣ ଭାରତରେ ବିଜେପିର ଶକ୍ତି ହ୍ରାସ ପାଇବାରେ ଲାଗିପାରେ । ଦଳ ଏଥର ବହୁ ପୁରୁଖା ନେତାଙ୍କୁ ଅଣଦେଖା କରି ନବାଗତ ତଥା ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ତେଣୁ ଏ କ୍ଷେତ୍ରରେ ଦଳ ଏକ ପ୍ରକାରର ବାଜି ଲଗାଇଛି ।

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ଅଟେ । ନିଜ ମାଟିରେ ଦଳକୁ ବିଜୟୀ କରାଇ ନପାରିଲେ ଖଡ଼ଗେଙ୍କ ଆଗାମୀ ଭବିଷ୍ୟତ କ’ଣ ହେବ ତାହ କହିବା ମୁସ୍କିଲ । ସେହିପରି ନିକଟରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସେ କିଛିଟା ସହାନୁଭୂତି ଭୋଟ ହାତେଇ ପାରନ୍ତି । ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସାରା ଦେଶରେ ରାହୁଲଙ୍କ ଲୋକପ୍ରିୟତା କିଛି ମାତ୍ରରେ ବୃଦ୍ଧି ପାଇଛି । ତେଣୁ ଏକ ଜାତୀୟ ନେତା ଭାବେ ପରିଗଣିତ ହେବା ପାଇଁ କର୍ଣ୍ଣାଟକ ନିର୍ବାଚନ ରାହୁଲଙ୍କୁ ଏକ ବଡ଼ ସୁଯୋଗ ଦେଇପାରେ ।

ଯଦି କର୍ଣ୍ଣାଟକରେ ବିଜେପି ହାରେ ଆଉ କଂଗ୍ରେସ ବହୁମତ ହାସଲ କରେ, ତେବେ ଏହା ସାରା ଦେଶରେ ଏକ ଗେମ୍ ଚେଞ୍ଜିଂ ପରିସ୍ଥିତି ସୃଷ୍ଟି କରିବ । ଆଗକୁ ଥିବା ଅନ୍ୟ ରାଜ୍ୟର ବିଧାନସଭ ନିର୍ବାଚନ ଓ ଆସନ୍ତା ଲୋକସଭା ନିର୍ବାଚନରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପ୍ରତିଫଳିତ ହେବ । କଂଗ୍ରେସ ପୁଣି ଥରେ ତା’ର ଅତୀତର ଶକ୍ତି ଫେରି ପାଇବାକୁ ପ୍ରୟାସ କରିବ । ସେହିପରି ଦେଶର ଅନ୍ୟତମ ବଡ଼ ଦଳ ଆମ ଆଦମୀ ପାର୍ଟି (ଆପ) ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିବେ ନାହିଁ । ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ ଓ ନୀତିଶ କୁମାର ସେମାନଙ୍କର ପରାକ୍ରମ ମଧ୍ୟ ରାଜନୀତିର ମଇଦାନରେ ଦେଖାଇବାକୁ ପଛଘୁଞ୍ଚା ଦେବେ ନାହିଁ । ବିଭିନ୍ନ ଦୃଷ୍ଟିକୋଣରୁ କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ନିଜର ସବୁକିଛି ବାଜିରେ ଲଗାଇ ଦେଇଛି କହିଲେ ଚଳେ ।

Get real time updates directly on you device, subscribe now.