ମହିଳାଙ୍କୁ ଅସଦାଚରଣ ପରେ ଜଙ୍ଗଲରେ ପୋତିଦେଲେ ଅପହରଣକାରୀ; ଯୋଗ ଦ୍ୱାରା ଶ୍ୱାସକ୍ରିୟା ନିୟନ୍ତ୍ରଣ କରି ଉଠି ଆସିଲେ ପୀଡ଼ିତା
ନୂଆଦିଲ୍ଲୀ: ଯୋଗ ଦେଲା ଜୀବନ, ମହିଳାଙ୍କୁ ଅସଦାଚରଣ ପରେ ଜଙ୍ଗଲରେ ପୋତିଦେଲେ ଅପହରଣକାରୀ। ଯୋଗ ଦ୍ୱାରା ଶ୍ୱାସକ୍ରିୟା ନିୟନ୍ତ୍ରଣ କରି ଉଠି ଆସିଲେ ପୀଡ଼ିତା । କର୍ଣ୍ଣାଟକରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କର୍ଣ୍ଣାଟକର ଜଣେ ୩୪ ବର୍ଷୀୟ ଯୋଗ ଶିକ୍ଷୟିତ୍ରୀଙ୍କୁ କିଛି ଲୋକ ଅପହରଣ କରି ଗଳା ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଶ୍ୱାସକ୍ରିୟା ନିୟନ୍ତ୍ରଣ କୌଶଳରେ ପାରଦର୍ଶିତା ହାସଲ କରିଥିବାରୁ ଏହା କରିବାରେ ସକ୍ଷମ ହୋଇଥିଲେ।
ଟିଓଆଇ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଅକ୍ଟୋବର ୨୩ ରେ ରିପୋର୍ଟ କରାଯାଇଛି। ମହିଳାଜଣକ ତମନ୍ନା (ଛଦ୍ମ ନାମ) ଦେବନାହଲ୍ଲୀ ନିକଟରୁ କିଛି ଲୋକ ଅପହରଣ କରି ନେଇଥିଲେ। ଯାହା ପରେ ସେମାନେ ମହିଳାଙ୍କୁ ପ୍ରାୟ ୩୦ କିଲୋମିଟର ଦୂର ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ସେମାନେ ତାଙ୍କ ପୋଷାକ କାଢ଼ି ଅସଦାଚରଣ କରିବା ସହ ଗଳା ଚିପି ହତ୍ୟା ଉଦ୍ୟମ କରିଥିଲେ। ତେବେ ଅପହରଣକାରୀମାନେ ତମନ୍ନାଙ୍କୁ ଗଳା ଚିପି ହତ୍ୟା କରିବାକୁ ଚେଷ୍ଟା କରିବାରୁ ଅପହରଣକାରୀମାନେ ଭାବିନେଇଥିଲେ ଯେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ମହିଳା ଜଣକ କେବଳ ମରିବାର ନାଟକ କରୁଥିଲେ।
ଅପହରଣକାରୀମାନେ ମହିଳାଜଣକ ମରିଯାଇଥିବା ଭାବି ଏକ ଗାତ ଖୋଳି ମହିଳାଙ୍କୁ ସେଥିରେ ରଖିଥିଲେ। ବୋଧହୁଏ ସେମାନେ ତରବରିଆ ଭାବେ ମହିଳାଙ୍କ ଉପରେ ଅଳ୍ପ ମାଟି ପକାଇ ଥିଲେ ଏବଂ ପରେ ସେଠାରୁ ପଳାଇ ଯାଇଥିଲେ। ଏହି ସମୟରେ ମହିଳା ଜଣକ ନିଜର ନିଶ୍ବାସ ପ୍ରଶ୍ୱାସ କୌଶଳ ପ୍ରୟୋଗ ଜାରି ରଖିଥିଲେ ଏବଂ ସେହି ଲୋକମାନେ ଚାଲିଯିବା ପରେ କୌଣସି ପ୍ରକାରେ ଗାତରୁ ବାହାରକୁ ଆସିଥିଲେ। ତମନ୍ନା ଆଖପାଖ ଲୋକଙ୍କଠାରୁ ପୋଷାକ ମାଗି ଦିନକ ପରେ ଚିକ୍କାବଲ୍ଲପୁରର ସିଦ୍ଲାଘାଟାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏହି ଘଟଣାରେ ପୁଲିସ ୪ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳକଙ୍କୁ ଗିରଫ କରିଛି। ଗିରଫ ମହିଳା ବିନ୍ଦୁ(୨୭)ଙ୍କ ନିର୍ଦ୍ଦେଶରେ ମହିଳାଙ୍କୁ ଅପହରଣ କରାଯାଇଥିବା ପୁଲିସ କହିଛି। କୁହାଯାଉଛି ଯେ ବନ୍ଦୁ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ଓ ତମନ୍ନାଙ୍କ ଘନିଷ୍ଠତାକୁ ସନ୍ଦେହ କରୁଥିଲେ। ଯାହା ପରେ ବିନ୍ଦୁ ତାଙ୍କ ବନ୍ଧୁ ସତୀଶ ରେଡ୍ଡୀଙ୍କୁ ତମନ୍ନାଙ୍କ ଉପରେ ନଜର ରଖିବାକୁ କହିଥିଲେ। ସତୀଶ ରେଡ୍ଡୀ ବେଙ୍ଗାଲୁରୁରେ ଏକ ଘରୋଇ ଗୁଇନ୍ଦା ଏଜେନ୍ସି ଚଳାଉଛନ୍ତି। ଯୋଗ ଶିଖିବା ବାହାନାରେ ସତୀଶ ତମନ୍ନାଙ୍କ ସହ ବନ୍ଧୁତା କରିଥିବା ଅଭିଯୋଗ ହୋଇଛି।