ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଥିଲା କେବିଏନ୍ ଗ୍ରୁପ୍: ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ଘରେ ଖୁବଶୀଘ୍ର ହେବ ରେଡ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ରାଜରାସ୍ତାରେ ଆତଙ୍କରାଜ ଚଳାଇ ଆସିଥିବା କ୍ରେବିଏନ୍ ଗ୍ରୁପକୁ ନେଇ ନୂଆ ଖୁଲାସା ହୋଇଛି । ନିଜ ଗ୍ୟାଙ୍ଗର ପତିଆରା ବୃଦ୍ଧି କରିବା ପାଇଁ ସୋସିଆଲ ମିଡ଼ିଆରେ ଭିଡିଓ ଅପଲୋଡ୍ କରି ତାହାକୁ ଭାଇରାଲ୍ କରୁଥିବା ଏବେ ସ୍ପଷ୍ଟ ହୋଇଛି । ସାଧାରଣ ଲୋକଙ୍କ ମଧ୍ୟରେ ଗ୍ୟାଙ୍ଗକୁ ନେଇ ଭୟର ବାତାବରଣ ସୃଷ୍ଟି କରିବା ଥିଲା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଆଗକୁ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ଘରେ ରେଡ୍ କରାଯିବା ସହ ମାରଣାସ୍ତ୍ର ଜବତ କରାଯିବ । ଯଦି ଦରକାର ପଡ଼େ ପୁଣି ଥରେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ଏହି ଗ୍ୟାଙ୍ଗର ଆତଙ୍କରାଜ ପରେ କଟକରେ ମଧ୍ୟ କିଛି ଭିଡିଓ ଭାଇରାଲ୍ ହୋଇଥିଲା । ତେଣୁ ଘଟଣାକୁ ଗୁରୁତ୍ୱ ଦେଇ ଏହି ଗ୍ୟାଙ୍ଗର ୫ ଜଣଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଜାରି ରଖିଛି । ଗତ ୧୦ ତାରିଖରେ ପୋଲିସ ଏହି ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାର ପୋଖରୀପୁଟ ଘରେ ଚଢ଼ାଉ କରିଥିଲା । ବୁବୁ ପୂର୍ବରୁ ଅନ୍ୟ ଦୁଇ ସଦସ୍ୟ ଚେଙ୍ଗ ଓ ସଞ୍ଜୟଙ୍କ ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହି ଭିଡିଓଗୁଡ଼ିକ ସମାଜରେ ଭୟ ସୃଷ୍ଟି କରିଚାଲିଥିବାରୁ ପୋଲିସ ଏପରି କୁକାର୍ଯ୍ୟରେ ଲିପ୍ତ ଥିବା ଯୁବକମାନଙ୍କୁ ଖୋଜି ଖୋଜି ଉଠାଇ ନେଇଥିଲା । ଭୁବନେଶ୍ୱର ପରି କଟକରେ ମଧ୍ୟ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ନାମକ ଦୁଇଟି ଗ୍ରୁପରେ ଯୁବକ, ଯୁବତୀମାନେ ମାରଣାସ୍ତ୍ର ଧରି ଭିଡିଓ ଅପଲୋଡ୍ କରିଥିଲେ ।