fbpx

ମୋଦୀଙ୍କୁ କେଜ୍ରିଙ୍କ ବାଣ: ଥାଳି ବଜାଇଲେ କରୋନା ଚାଲିଯିବ, ନୋଟବନ୍ଦୀ କରିଦେଲେ ଭ୍ରଷ୍ଟାଚାର ସମାପ୍ତ ହୋଇଯିବ?

ନୂଆଦିଲ୍ଲୀ: ଗତ ମାସ ୨୬ ତାରିଖରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଏହି ଘଟଣା ପରେ ସାରା ଦେଶରେ ବିରୋଧୀମାନେ କେନ୍ଦ୍ରୀୟ ଏଜେନ୍ସିର ଦୁରୂପଯୋଗ କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ୯ଟି ବିପକ୍ଷ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ଗତବର୍ଷ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା ।

ତେବେ ସତ୍ୟେନ୍ଦ୍ର ଓ ସିସୋଦିଆଙ୍କ ଗିରଫଦାରୀକୁ ନେଇ ପିଏମ୍ ମୋଦୀଙ୍କ ଉପରେ ପ୍ରହାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ନୋଟବନ୍ଦୀ ପ୍ରସଙ୍ଗ ଉଠାଇ ଚିନ୍ତା ବ୍ୟକ୍ତ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପାଠ କମ୍ ପଢ଼ିଥିଲେ ତାଙ୍କୁ ଯେ କେହି ବି ବୋକା ବନାଇପାରିବ ବୋଲି କହିଛନ୍ତି । ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ଅବସରରେ ଆଜି କେଜ୍ରି ରାଜଧାନୀ ଭୋପାଳଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଏହି ଅବସରରେ ସେ କହିଥିଲେ, ରାଜ୍ୟବାସୀ ଆମ୍ ଆଦମୀ ପାର୍ଟି (ଆପ)କୁ ଏକ ବିକଳ୍ପ ଭାବେ ସୁଯୋଗ ଦେବା ଦରକାର । ଯେଉଁଦିନ ମନୀଷଙ୍କୁ ଗିରଫ କରାଗଲା, ଦେଶର ପ୍ରଧାନମନ୍ତ୍ରୀ ପଢ଼ାଲେଖା ଜାଣିବା ଆବଶ୍ୟକ ବୋଲି ସେଦିନ ମୋତେ ହୃଦବୋଧ ହୋଇଥିଲା । ଯଦି ପ୍ରଧାନମନ୍ତ୍ରୀ କମ୍ ପାଠ ପଢ଼ିଥିବେ ତେବେ ତାଙ୍କୁ କେହି ବି ବୋକା ବନାଇ ଦେଇପାରେ । ଯଦି ଦେଶର ପ୍ରଧାନମନ୍ତ୍ରୀ ଠିକରେ ପଢ଼ିଥାନ୍ତେ ତେବେ ସେ ଶିକ୍ଷାର ମହତ୍ତ୍ୱ ବୁଝି ପାରିଥାନ୍ତେ । ଏପରି ସ୍ଥିତିରେ ସେ ମନୀଷଙ୍କୁ ଦେଶର ଶିକ୍ଷାମନ୍ତ୍ରୀ କରି ଦେଶର ୧୦ ଲକ୍ଷ ସ୍କୁଲକୁ ଠିକ୍ କରିବାକୁ କହିଥାନ୍ତେ । ମାତ୍ର ସେ ତାଙ୍କୁ ଜେଲରେ ଭର୍ତ୍ତି କରିଦେଲେ ।

ଭଲ କାମ କରୁଥିବାରୁ ମନୀଷ ଓ ସତ୍ୟେନ୍ଦ୍ରଙ୍କୁ ଜେଲରେ ପୂରାଇ ଦିଆଯାଇଛି । ନୋଟବନ୍ଦୀ କରିଦେଲେ ଭ୍ରଷ୍ଟାଚାର ସମାପ୍ତ ହୋଇଯିବ, ଜଣେ ଏପରି କହିଦେଲେ ଯଦି ପ୍ରଧାନମନ୍ତ୍ରୀ ତାହାକୁ ଗ୍ରହଣ କରିନେବେ ତେବେ ଏହାକୁ ଆମେ କ’ଣ କହିବା । ନା ଭ୍ରଷ୍ଟାଚାର ସମାପ୍ତ ହେଲା ନା ଆତଙ୍କବାଦ । ସେହିପରି ଯଦି ଜଣେ କହିଦେବ ଥାଳି ବଜାଅ, କରୋନା ସମାପ୍ତ ହୋଇଯିବ, ତେବେ ତାହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗ୍ରହଣ କରିନେଇଛନ୍ତି । ସେଥିପାଇଁ ମୁଁ କହୁଛି ଦେଶର ପିଏମ୍ ଲେଖାପଢ଼ା ଜାଣିଥିବା ଆବଶ୍ୟକ ।

Get real time updates directly on you device, subscribe now.