ରାଗିଙ୍ଗ ନୁହେଁ ନର୍କ ଯନ୍ତ୍ରଣା! ଉଲଗ୍ନ କରି ପ୍ରାଇଭେଟ୍ ପାର୍ଟରେ ଝୁଲେଇଦେଲେ ଡମ୍ବଲ, କମ୍ପାସ ଫୋଡ଼ି ଖଣ୍ଡିଆ କରୁଥିଲେ ଦେହ….

ରାଗିଙ୍ଗ ନାଁରେ ଅକଥନୀୟ ଅତ୍ୟାଚାର କରୁଥିଲେ ସିନିୟର ଛାତ୍ର । ଉଲଗ୍ନ ହୋଇ ଛିଡ଼ା ରହିବାକୁ କହୁଥିଲେ ।

ଥିରୁଭାନନ୍ତପୁରମ: ସରକାରୀ ନର୍ସିଂ କଲେଜରେ ଚାଲିଥିଲା ଏମିତି କାଣ୍ଡ ଯାହାକୁ ଶୁଣିଲେ ଡର ଲାଗିବ । ଖୁଲମଖୁଲା ଜୁନିୟରଙ୍କୁ ଦିଆଯାଉଥିଲା ନର୍କ ଯନ୍ତ୍ରଣା । ଏ ଘଟଣା ଘଟିଛି, କେରଳର କୋଟାୟମସ୍ଥିତ ଏକ ସରକାରୀ ନର୍ସିଂ କଲେଜରେ ।
ରାଗିଙ୍ଗ ଆକ୍ଟ ଆଧାରରେ ୫ ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ, ନର୍ସିଂ ପାଠ୍ୟକ୍ରମର ୩ୟ ବର୍ଷର ୫ ଛାତ୍ର ପ୍ରଥମ ବର୍ଷ ପିଲାଙ୍କୁ ରାଗିଙ୍ଗ ନାଁ’ରେ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ ।

ଉଳଗ୍ନ ହୋଇ ରୁହ: ଜୁନିଅରମାନଙ୍କୁ ଲଙ୍ଗଳା ହୋଇ ରହିବାକୁ କହୁଥିଲେ । ଏଥିସହ ସେମାନଙ୍କ ପ୍ରାଇଭେଟ୍ ପାର୍ଟରେ ଡମ୍ବଲକୁ ବାନ୍ଧି ଓହଳାଇଦେଉଥିଲେ । ଜ୍ୟାମିତି ବାକ୍ସରେ ଥିବା କମ୍ପାସକୁ ଦେହ ସାରା ଫୋଡ଼ି ଖଣ୍ଡି କରୁଥିଲେ ଏହି ୫ ସିନିୟର । ରାଗିଙ୍ଗ ଏତିକିରେ ସରିନାହିଁ, ଜୁନିଅରଙ୍କ ଘା’ରେ ସିନିୟରମାନେ ଲୋସନ ଲଗେଇ ଦେଉଥିଲେ । ଯାହାଦ୍ୱାରା ସେମାନଙ୍କ ଯନ୍ତ୍ରଣା ଆହୁରି ବଢ଼ିଯାଉଥିଲା ।

ଯନ୍ତ୍ରଣାରେ ଛଡ଼ପଟ ହୋଇ ଚିକ୍ରାର କଲେ, ସେହି ଲୋସନକୁ ପାଟିରେ ଭର୍ତ୍ତି କରିଦେଉଥିଲେ ସିନିଅର । ଏହାଛଡ଼ା ଅଭଦ୍ର ଭାଷାରେ ଜୁନିଅରମାନଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲେ । ଏ ନେଇ ଅଭିଯୋଗ ନ କରିବାକୁ ଡରା ଧମକା ମଧ୍ୟ କରୁଥିବା ପୋଲିସ କହିଛି ।

ଛଡ଼େଇ ନେଇଥିଲେ ଟଙ୍କା: ରବିବାର ଛୁଟିରେ ପାର୍ଟି କରିବା ପାଇଁ ସିନିୟରମାନେ ଜୁନିଅରଙ୍କ ଟଙ୍କା ନେଇଯାଉଥିଲେ । ଏହି ଟଙ୍କାରେ ସେମାନେ ମଦ କିଣି ଆଣି ପିଉଥିଲେ । ଟଙ୍କା ଦେବାକୁ ମନା କଲେ ସିନିୟରମାନେ ମାଡ଼ ମାରୁଥିବା ଜଣାପଡ଼ିଛି । ଏ ନେଇ ଜଣେ ଛାତ୍ର ଘରେ କହିବା ପରେ ଛାତ୍ରଙ୍କ ବାପା ଥାନାରେ ଏହାର ଅଭିଯୋଗ କରିଥିଲେ । ଯାହାପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ହୋଇଥିଲା ।

ଏ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।