fbpx

ଆମେରିକାରେ ଭାରତୀୟ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଖାଲିସ୍ଥାନୀ ସମର୍ଥକ, ଭାରତ କଲା ନିନ୍ଦା

ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ସ୍ଥିତ ଦୂତାବାସ ବାହାରେ ଭାରତୀୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା କଥା ସାମ୍ନାକୁ ଆସିଛି । ସେଠାରେ ଖାଲିସ୍ଥାନୀ ସମର୍ଥକ ମାନେ ଲାଠି ଦ୍ୱାରା ଆକ୍ରମଣ କରି ଅନେକ ଗାଳି ଗୁଲଜ ମଧ୍ୟ କରିଛନ୍ତି । ଶନିବାର ଦ୍ୱିପ୍ରହରରେ ଭାରତୀୟ ସାମ୍ବାଦିକ ଦୂତାବାସ ବାହାରେ ଖାଲିସ୍ଥାନ ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ କଭରେଜ୍ କରୁଥିଲେ । ସେହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ କହିଛନ୍ତି ଯେ, ଖାଲିସ୍ଥାନୀ ସମର୍ଥକ ତାଙ୍କ ବାମ କାନକୁ ବାଡିରେ ଦୁଇ ପ୍ରହାର ପକାଇଥିଲେ । ଏହି ଆକ୍ରମଣର ଭିଡିଓ ସେ ଏକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଆମେରିକାରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଭାରତୀୟ ଦୂତାବାସ କହିଛନ୍ତି, “ଜଣେ ବରିଷ୍ଠ ସାମ୍ବାଦିକଙ୍କ ଉପରେ ଏଭଳି ଗମ୍ଭୀର ଓ ଅଯଥା ଆକ୍ରମଣକୁ ଆମେ ନିନ୍ଦା କରୁଛୁ।”

ସାମ୍ବାଦିକ ଲଲିତ ଝା କହିଛନ୍ତି, “ଯେତେବେଳେ ମୋତେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ମୁଁ ୯୧୧ କୁ ଫୋନ କଲି। ତା’ପରେ ମୁଁ ପୋଲିସ କର୍ମଚାରୀଙ୍କୁ ଭେଟି ଏହି ଘଟଣା ବିଷୟରେ ସେମାନଙ୍କୁ ଜଣାଇଲି। ତଥାପି ଯେଉଁମାନେ ତାଙ୍କୁ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।” ଅମୃତପାଲ (ସିଂ) ଙ୍କ ସମର୍ଥନରେ ଖାଲିସ୍ତାନର ସମର୍ଥକମାନେ ଖଲିସ୍ତାନ ପତାକା ଉତ୍ତୋଳନ କରି ଆମେରିକାର ଗୁପ୍ତ ସେବା ଉପସ୍ଥିତିରେ ଦୂତାବାସରେ ପହଞ୍ଚିଥିଲେ। ସେ ଖୋଲାଖୋଲି ଭାବେ ଦୂତାବାସକୁ ଧମକ ଦେଇଥିଲେ।

ଝା କହିଛନ୍ତି ଯେ, ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ସବୁ ବୟସର ପଗଡି ପିନ୍ଧିଥିବା ପୁରୁଷମାନେ ରହିଥିଲେ, ଯେଉଁମାନେ ଖାଲିସ୍ତାନ ସମର୍ଥକଙ୍କ ସ୍ଲୋଗାନ ଦେଇଥିଲେ। ସେମାନେ ଡିସି-ମେରିଲ୍ୟାଣ୍ଡ-ଭର୍ଜିନିଆ (DMV) ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିଲେ। ଆୟୋଜକମାନେ ଉଭୟ ଇଂରାଜୀ ଏବଂ ପଞ୍ଜାବୀରେ ଭାରତ ବିରୋଧୀ ଭାଷଣ ଦେବା ପାଇଁ ମାଇକ୍ରୋଫୋନ୍ ବ୍ୟବହାର କରିଥିଲେ ଏବଂ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବ ପୋଲିସକୁ ଟାର୍ଗେଟ କରିଥିଲେ।

ଗତ କିଛି ଦିନ ତଳେ ଭାରତୀୟ ଦୂତାବାସ ଏବଂ ସାନ ଫ୍ରାନ୍ସିସ୍କୋ କନସୁଲେଟ୍ ବାହାରେ ଖାଲିସ୍ତାନ ସମର୍ଥକଙ୍କ ଦ୍ୱାରା ଅନେକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ମାର୍ଚ୍ଚ ୨୦ ରେ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ ଉପରେ ହୋଇଥିବା ଆକ୍ରମଣକୁ ଆମେରିକା ଦୃଢ ନିନ୍ଦା କରିଥିଲା ​​ଏବଂ ଏହାକୁ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି କହିଛି। ଏଭଳି କୂଟନୈତିକ ସୁବିଧା ଏବଂ ସେଠାରେ କାର୍ଯ୍ୟରତ କୂଟନୀତିଜ୍ଞ ମାନଙ୍କୁ ସୁରକ୍ଷା ଦେବାକୁ ଆମେରିକା ପ୍ରତିଶ୍ରୁତି ଦେଇଛି।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ ଟୁଇଟ୍ କରି କହିଛନ୍ତି ଯେ, ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ବିରୋଧରେ ହିଂସା କାର୍ଯ୍ୟକୁ ଆମେରିକା ନିନ୍ଦା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ତଥା ନିରାପତ୍ତା ପାଇଁ ଆମେରିକା ପ୍ରତିବଦ୍ଧ।

Get real time updates directly on you device, subscribe now.