fbpx

ସର୍ବଭାରତୀୟ ସେବା ନିୟମ: IAS-IPS ଚାକିରିରୁ ଇସ୍ତଫା ଦେଇଥିବା ପ୍ରାର୍ଥୀଙ୍କର ନାମାଙ୍କନ ରଦ୍ଦ ହେଲେ ସେ ପୁଣି ଚାକିରିକୁ ଫେରି ପାରିବେ କି?

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ପ୍ରତିଥର ଭଳି ଚଳିତ ଥର କିଛି ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ ଚାକିରି ଛାଡ଼ି ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ଏହା ମଧ୍ୟରେ ପଶ୍ଚିମବଙ୍ଗର ବୀରଭୂମ ଲୋକସଭା ଆସନରୁ ଭାଜପା ତରଫରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇପିଏସ ଅଧିକାରୀ ଦେବାଶୀଷ ଧରଙ୍କ ନାମାଙ୍କନ ରଦ୍ଦ ହୋଇଯାଇଛି । ଏହାପରେ ବିଜେପି ଉକ୍ତ ଆସନ ପାଇଁ ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେଣୁ ଏପରି ସ୍ଥିତିରେ ଦେବାଶିଷ ପୁଣି ଥରେ ଚାକିରିକୁ ଫେରି ପାରିବେ କି ନା, ତାଙ୍କୁ ତାଙ୍କର ଆଇପିଏସ ସର୍ଭିସ ପୁନଶ୍ଚ ମିଳିପାରିବ କି ନା ସେନେଇ ପ୍ରଶ୍ନ ଉଠିଛି । ଏନେଇ ଦେଶରେ କ’ଣ ନିୟମ ରହିଛି ତାହା ଆପଣମାନେ ନିହାତି ଜାଣିବା ଆବଶ୍ୟକ ।

ଗତ ଗତ ମାସରେ ଦେବାଶିଷ ଆଇପିଏସ ଚାକିରିରୁ ଇସ୍ତଫା ଦେଇଥିଲେ । ତେଣୁ ଏବେ ତାଙ୍କର ନାମାଙ୍କନ ପତ୍ର ରଦ୍ଦ ହୋଇଯିବା ପରେଏବେ ଯଦି ସେ ପୁଣି ଥରେ ଚାକିରି କ୍ଷେତ୍ରକୁ ଫେରିବାକୁ ଚାହାନ୍ତି ତେବେ ତାହା କେତେଦୂର ସମ୍ଭବ? ଏପରି ମାମଲାରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ କିଛି ନିୟମ ରହିଛି । ଅଲ ଇଣ୍ଡିଆ ସର୍ଭିସେସର ରୁଲ୍ସ ୫(୧) ଓ ୫(୧)(ଏ)ର ଇସ୍ତଫା ସହ ଜଡ଼ିତ ନିୟମ ମୁତାବକ, ଯଦି ଜଣେ ଅଫିସର ରିଜାଇନ ଦିଅନ୍ତି ତେବେ ତାଙ୍କର ଇସ୍ତଫା ବିନା କୌଣସି ସର୍ତ୍ତରେ ହୋଇଥିବା ଦରକର । ଏପରି କରିବାର କାରଣ ବିଷୟରେ ଇସ୍ତଫାରେ ଉଲ୍ଲେଖ ହୋଇଥିବା ଆବଶ୍ୟକ ।

ଜଣେ ଆଇପିଏସ ରାଜ୍ୟର ସର୍ବୋଚ୍ଚ ପୋଲିସ ଅଧିକାରୀ (ଡିଜିପି)ଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥାନ୍ତି । ଇସ୍ତଫା ମଞ୍ଜୁରୀ ହେବ କି ନାହିଁ ସେନେଇ ଅଧିକାରୀ ଜଣଙ୍କ କେନ୍ଦ୍ର ସରକାରଙ୍କ ଠାରୁ ମଞ୍ଜୁରୀ ନେବାକୁ ପଡ଼ିଥାଏ । ଆଇପିଏସଙ୍କ ଇସ୍ତଫା ଗୃହ ମନ୍ତ୍ରଣାଳୟ, ଆଇଏଏସଙ୍କ ଇସ୍ତଫା ଡିପାର୍ଟମେଣ୍ଟ ଅଫ୍ ପର୍ସନଲ ଆଣ୍ଡ ଟ୍ରେନିଂ ଓ ଆଇଏଫଏସଙ୍କ ଇସ୍ତଫା ପରିବେଶ ମନ୍ତ୍ରଣାଳୟ ଅନୁମୋଦନ କରିଥାଏ । ଆଇପିଏସ ବା ଆଇଏଏସ, ଅଲ ଇଣ୍ଡିଆ ସଭିର୍ସେସ ସହ ଜଡ଼ିତ ଅଧିକାରୀଙ୍କୁ ଚାକିରିକୁ ଫେରିବା ପାଇଁ ହେଲେ ଇସ୍ତଫା ଫେରାଇ ଆଣିବାକୁ ପଡ଼ିବ । ଏଥିପାଇଁ ମଧ୍ୟ ନିୟମ ରହିଛି । ଯଦି ଅଧିକାରୀ ସରକାରୀ ଚାକିରିକୁ ଫେରିବାକୁ ଚାହାନ୍ତି ତେବେ ଇସ୍ତଫା ଦେବାର ୯୦ ଦିନ ଭିତରେ ତାଙ୍କୁ ଇସ୍ତଫା ଫେରାଇ ଆଣିବାକୁ ପଡ଼ିବ । ଇସ୍ତଫା ଫେରାଇ ଆଣିବା ପାଇଁ ଲିଖିତ ଆବେଦନ କରିବାର ପ୍ରକ୍ରିୟାକୁ ପାଳନ କରିବାକୁ ପଡ଼ିବ । ଦେବାଶିଷ ଗତ ମାସରେ ଇସ୍ତଫା ଦେଇଥିବାରୁ ତାଙ୍କ ପାଖରେ ଚାକିରିକୁ ଫେରିବାର ସୁଯୋଗ ରହିଛି ।

ତେବେ ଏପରି କିଛି ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କ ଇସ୍ତଫା ଫେରସ୍ତ ସମ୍ଭବ ହୋଇନଥାଏ । ସର୍ବଭାରତୀୟ ସେବା ନିୟମ ମୁତାବକ, ଯଦି କୌଣସି ଅଫିସର କୌଣସି ରାଜନୈତିକ ଦଳର ସଦସ୍ୟତା ଗ୍ରହଣ କରିବେ ବା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ହାସଲ କରିବେ ତେବେ ଇସ୍ତଫା ଫେରସ୍ତ ନେବା ନେଇ ତାଙ୍କୁ କୌଣସି ଅଧିକାର ଦିଆଯିବ ନାହିଁ । ଯଦି ଇସ୍ତଫା ମଞ୍ଜୁର ହୁଏ ଓ ପ୍ରକ୍ରିୟା ସମାପ୍ତ ହୋଇଯାଏ, ତେବେ ଫେରସ୍ତ ହେବା ସମ୍ଭବ ପାରିନଥାଏ । ସରକାର ଚାହିଁଲେ ସରକାରୀ ଚାକିରିକୁ ଉକ୍ତ ଅଫିସରଙ୍କୁ ଫେରାଇ ନେଇ ପାରିବେ । ମାତ୍ର ବ୍ୟକ୍ତି ଜଣଙ୍କ ଏନେଇ କୌଣସି ପକ୍ରାରର ଆଇନଗତ ପ୍ରକ୍ରିୟାକୁ ଆପଣାଇ ପାରିବେ ନାହିଁ ।

Get real time updates directly on you device, subscribe now.