ଖଣ୍ଡଗିରି ମେଳାକୁ ଆଉ ମାତ୍ର ଗୋଟିଏ ଦିନ ବାକି, ଏଥରକ କମ୍ ସଂଖ୍ୟକ ସାଧୁ କରିବେ ଆଗମନ
ମହାକୁମ୍ଭ ପାଇଁ ପ୍ରୟାଗରାଜରେ ବାବାଜୀ । ଆଖପାଖର ସାଧୁସନ୍ଥ ଖଣ୍ଡଗିରି ଆସି ଦେଖାଇବେ ନିଜ ସିଦ୍ଧି ।
ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଯାହାପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ହୋମଯଜ୍ଞରେ ପ୍ରକମ୍ପିତ ହେବ ଖଣ୍ଡଗିରି ।
ଏବେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା । ଯାହାପାଇଁ ପ୍ରତ୍ୟେକ ସାଧୁ, ବାବାଜୀ ଏବଂ ନାଗା ସାଧୁ ମହାକୁମ୍ଭରେ ବ୍ୟସ୍ତ ଅଛନ୍ତି । କୁମ୍ଭମେଳା ନ ସରିବା ଯାକେ ସେମାନେ କୌଣସି ଆଡେ ଯିବେନାହିଁ ।
ଏଥିଯୋଗୁ ଖଣ୍ଡଗିରି ମେଳାରେ ବାବାଜୀଙ୍କ ସଂଖ୍ୟା କମିବ ବୋଲି ଆଶଙ୍କା କରାଯାଉଛି । ସବୁବର୍ଷ ଯେତିମି ସଂଖ୍ୟାରେ ବାବାଜୀ ଖଣ୍ଡଗିରି ମେଳାରେ ଏକତ୍ରୀତ ହୁଅନ୍ତୁ ତା’ଠାରୁ କମ୍ ସଂଖ୍ୟକ ବାବା ଏଥରକ ଖଣ୍ଡଗିରି ଆସିବେ ।
ଖବର ମୁତାବକ, ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼ ସାଙ୍ଗକୁ ପୁରୀ ଏବଂ ଢ଼େଙ୍କାନାଳରୁ ସାଧୁମାନେ ମେଳାରେ ଯୋଗ ଦେଇପାରନ୍ତି ।
ସାଧୁମାନେ ନିଜ ଯଜ୍ଞକୁଣ୍ଡ ତିଆରି କରିସାରିଛନ୍ତି । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ରାସ୍ତା କଡ଼ରେ ଲୁହା ବ୍ୟାରିକେଟ୍ ଖଞ୍ଜାଯାଇଛି । ଯେଉଁଥି ପାଇଁ ରାସ୍ତା କଡ଼ରେ ବ୍ୟବସାୟୀମାନେ ବସି ବେପାର କରିପାରିବେ ନାହିଁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।