ନୟାଗଡ଼: (ଓଡ଼ିଶା ଭାସ୍କର) ପୁଣି ରାଜ୍ୟରେ ବଢିଲାଣି ବାଘ ଶିକାର, ଦିନକୁ ଦିନ ଶିକାରୀ ଆପଣାଉଛନ୍ତି ବିଭିନ୍ନ ତରିକା। ଶେଷରେ ବାଘ ଦେହରୁ ମୁଣ୍ଡ କାଟି ନେଇଗଲେ ଶିକାରୀ। ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏପରି ଅଭବନୀୟ ଘଟଣା। କଲରାପତରିଆ ବାଘର ନେଇଗଲେ ମୁଣ୍ଡ। ଏହି ବାଘ ଶିକାର ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାୟ ୩ ଦିନରୁ ଅଧିକ ହେବ ସାପୁଆ ସଂରକ୍ଷିତ ଜଙ୍ଗଲର ବୁଢୀଝରି ନିକଟରେ ଉକ୍ତ ବାଘକୁ ଶିକାର କରାଯାଇଥିଲା ସୂଚନା ପାଇ ବନବିଭାଗ ପହଞ୍ଚିଥିଲା। ଏହି ଘଟଣାକୁ ନେଇ ବନବିଭାଗ ତନାଘନା ଆରମ୍ଭ କରିଛି।
ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ବାଘର ପଞ୍ଚନାମା କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବୁଢୀଝରିଠାରୁ ପ୍ରାୟ ୧ କିମି ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ବାଘର ମୃତଦେହ ଦେଖି ବନବିଭାଗକୁ ଖବର ଦିଆଯାଇଥିଲା। ନୟାଗଡ଼ ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ସମେତ ରେଞ୍ଜର୍ ଉଦିତ ପ୍ରଧାନ, ଫରେଷ୍ଟର କୈଳାସ ପ୍ରଧାନଙ୍କ ସହ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ବାଘର ମୃତଦେହ ଠାବ କରିଥିଲେ। ଏହି ଘଟଣାରେ ସଂପୃକ୍ତି ସନ୍ଦେହରେ ବୁଢିଝରୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ସୂଚନା ମିଲିଛି।
ସେପଟେ ଏହି ଘଟଣାରେ ସାଙ୍ଘାତିକ କଥା କହିଛନ୍ତି ସ୍ଥାନୀୟବାସୀ। ସେମାନଙ୍କ କହିବା ମୁତାବକ ଶିକାରୀ ବାର୍ହାକୁ ଫାଶରେ ପକାଇ କଲରାପତରିଆ ଶିକାର କରାଯାଇଛି। ମୃତଦେହ ଦେଖିବା ପରେ ଶିକାରୀ ଗୁଳିରେ ବାଘ ମରିଥିବା ନେଇ ସନ୍ଦେହ ଉପୁଜିଛି। କାରଣ ମୃତ କଲରାପତରିଆର ମୁଣ୍ଡ ନଥିବା ବେଳେ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ତେବେ ଏଠାରେ ଶିକାରୀ ମାନେ ବାଘର ମୁଣ୍ଡ କାଟି ନେଇଥିବା ସନ୍ଦେହ କରାଯାଉଛି। ସଠିକ୍ ତଦନ୍ତ ପରେ ସତ ସାମ୍ନାକୁ ଆସିବା କଥା କହିଛନ୍ତି ସ୍ଥାନୀୟବାସୀ।