ପୁଣି RCBର Captain ହେବେ କିଙ୍ଗ କୋହଲି! IPL-2025 ପାଇଁ ‘ବିରାଟ’ ପ୍ଲାନ କରୁଛି ଦଳ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ଜାରି ହେବାକୁ ଯାଉଛି ରିଟେନସନ୍ ଲିଷ୍ଟ । ଆସନ୍ତାକାଲି ପ୍ରତ୍ୟେକ ଦଳ ନିଜ ନିଜର ରିଟେନସନ ତାଲିକା ପ୍ରକାଶ କରିବେ । ତେବେ ଏହାପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତା ସିଜନରୁ ପୁଣିଥରେ ଦଳର ଅଧିନାୟକ ପରିବର୍ତ୍ତନ ହୋଇପାରନ୍ତି । ଆରସିବିର ଷ୍ଟାର କ୍ରିକେଟର ବିରାଟ କୋହଲି ପୁଣିଥରେ ଦଳର ନେତୃତ୍ୱ ପଦ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ତାଲିକା ଘୋଷଣା ହେବା ପୂର୍ବରୁ ବିରାଟଙ୍କ ଫ୍ୟାନ୍ସ ମାନଙ୍କୁ ଖୁସି ଖବର ମିଳିପାରେ ବୋଲି ଆଶା କରାଯାଉଛି ।

ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପାଇଁ ଜଣେ ପ୍ରମୁଖ ସଦସ୍ୟ ଭାବରେ ସାମିଲ ହୋଇ ରହିଛନ୍ତି ବିରାଟ କୋହଲି । ୨୦୦୮ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବିରାଟ ଏହି ଦଳରେ ରହିଛନ୍ତି । ତେବେ ଏହା ମଧ୍ୟରେ ୨୦୧୩-୨୦୨୧ ବିରାଟ ଦଳର ଅଧିନାୟକ ପଦ ମଧ୍ୟ ସମ୍ଭାଳିଥିଲେ । କିନ୍ତୁ ୨୦୨୧ ମସିହା ପରେ ସେ ଅଧିନାୟକ ପଦରୁ ଓହରିବା ସହିତ ୨୦୨୨ରେ ଫାଫ୍ ଡୁପ୍ଲେସିସଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଥିଲା ଫ୍ରାଞ୍ଚାଇଜି । ତେବେ ଆସନ୍ତା ସଜିନରୁ ବିରାଟ ପୁଣିଥରେ ଏହି ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି । ରିପୋର୍ଟ ଅନୁସାରେ, ଆରସିବି ମ୍ୟାନେଜମେଣ୍ଟ ସହ ଏକ ଚର୍ଚ୍ଚା ସମୟରେ ଏ ନେଇ ସଂକେତ ଦେଇଛନ୍ତି କିଙ୍ଗ କୋହଲି । ପୁଣିଥରେ ନେତୃତ୍ୱ ଗ୍ରହଣ କରିବାକୁ ବିରାଟ ପ୍ରସ୍ତୁତ ଥିବା ଜାଣିବାକୁ ମିଳିଛି । ତେଣୁ ଆଇପିଏଲ-୨୦୨୫ରେ ଆରସିବି ପୁଣିଥରେ ବିରାଟଙ୍କୁ ନେତୃତ୍ୱ ପ୍ରଦାନ କରିବାର ସମ୍ଭାବନା ଖୁବ ଅଧିକ ରହିଛି ।

ତେବେ ବିରାଟ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କଲେ, ଫାଫ୍ ଡୁପ୍ଲେସିସଙ୍କୁ ଦଳ ମେଗା ଅକ୍ସନ ପାଇଁ ରିଲିଜ କରିପାରେ । ଆଇପିଏଲ-୨୦୨୫ ପାଇଁ ରିଟେନସନ ତାଲିକା ଘୋଷଣାର ଶେଷ ତାରିଖ ଅକ୍ଟୋବର ୩୧ ତାରିଖ ରହିଛି । ତେବେ ବିରାଟଙ୍କ ଏହି ନିଷ୍ପତ୍ତି ପରେ ଡୁପ୍ଲେସିସଙ୍କୁ ଦଳ ରିଟେନ୍ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ୨୦୧୩ ମସିହାରୁ ୨୦୨୧ ପର୍ଯ୍ୟନ୍ତ ବିରାଟଙ୍କ ନେତୃତ୍ୱରେ ଆରସିବି ୧୪୩ଟି ମ୍ୟାଚ୍ ଖେଳିଥିବା ବେଳେ ୬୦ଟି ମ୍ୟାଚରେ ବିଜୟୀ ହୋଇଛି । ଏହାବ୍ୟତୀତ ୭୦ଟି ମ୍ୟାଚରେ ଦଳ ପରାସ୍ତ ହୋଇଥିବା ବେଳେ ୩ଟି ମ୍ୟାଚ ଟାଇ ରହିଛି । ଆଇପିଏଲରେ ଗୋଟିଏ ଦଳ(ଆରସିବି) ପାଇଁ ପ୍ରତ୍ୟେକ ସିଜନ ଖେଳିଥିବା ଏକମାତ୍ର ଖେଳାଳି ଭାବରେ ରହିଛନ୍ତି ବିରାଟ ।