fbpx

ଆଗାମୀ ସିଜିନରେ ଏହି ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବେ ନାହିଁ କେଏଲ ରାହୁଲ, ମେଗା ନିଲାମରେ ହେବେ ସାମିଲ୍ !

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗ୍ସର ଅଭିଯାନ କିଛି ଖାସ୍ ରହିନାହିଁ । ଦଳ ପ୍ଲେଅଫରେ ପ୍ରବେଶ କରିବାରେ ବିଫଳ ହୋଇଛି । ହେଲେ ଦଳର ଅଧିନାୟକ କେଏଲ ରାହୁଲ ଚମକ୍ରାର ପ୍ରଦର୍ଶନ କରି ୧୩ଟି ମ୍ୟାଚରେ ୬୨୬ ରନ କରିଛନ୍ତି । ବର୍ତ୍ତମାନ ସେ ଅରେଞ୍ଜ କ୍ୟାପ ଦୌଡରେ ସବୁଠୁ ଆଗରେ ଅଛନ୍ତି ।

ହେଲେ ଏବେ ରାହୁଲ ନିଜକୁ ପଞ୍ଜାବ ଦଳରୁ ଅଲଗା କରିବାକୁ ଚାହୁଁଛନ୍ତି । କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ରାହୁଲ ଆଗାମୀ ବର୍ଷ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳି ନପାରନ୍ତି । ସେ ନିଜକୁ ଖେଳାଳିଙ୍କ ମେଗା ନିଲାମରେ ସାମିଲ୍ କରାଇ ପାରନ୍ତି । ଆଇପିଏଲ ୨୦୨୨ ପାଇଁ ଖେଳାଳିଙ୍କ ମେଗା ନିଲାମ ହେବାକୁ ଯାଉଛି । ନିୟମ ଅନୁଯାୟୀ, ସମସ୍ତ ଦଳ କେବଳ ତିନି ଜଣ ଖେଳାଳିଙ୍କୁ ରିଟେନ୍ କରି ପାରିବେ । ବାକି ସମସ୍ତ ଖେଳାଳିଙ୍କୁ ନିଲାମରେ ଓହ୍ଲାଇବାକୁ ପଡିବ ।

କ୍ରିକବଜର ରିପୋର୍ଟ ଅନୁଯାୟୀ, ଅନେକ ଫ୍ରାଞ୍ଚାଇଜି ରାହୁଲଙ୍କ ସହ ଯୋଗାଯୋଗ କଲେଣି । ରାହୁଲ ମଧ୍ୟ ନିଲାମରେ ସାମିଲ ହେବାକୁ ରୁଚି ଦେଖାଇଛନ୍ତି । ଯଦି ରାହୁଲ ପଞ୍ଜାବ କିଙ୍ଗ୍ସ ଛାଡି ଦିଅନ୍ତି ତେବେ ଆଗାମୀ ନିଲାମରେ ତାଙ୍କ ଉପରେ ବଡ ବୋଲି ଲାଗିପାରେ । ଗତ କିଛି ବର୍ଷ ହେବ ରାହୁଲ ଟି-୨୦ ଫର୍ମାଟରେ ସବୁଠୁ ଅନ୍ୟତମ ଖେଳାଳି ପାଲଟିଛନ୍ତି ।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏ ପର୍ଯ୍ୟନ୍ତ ରିଟେନସନ ନୀତି ଘୋଷଣା କରି ନାହିଁ । ଏଥିପାଇଁ ଫ୍ରାଞ୍ଚାଇଜିଙ୍କୁ ରାଇଟ୍ ଟୁ ମ୍ୟାଚ୍(ଆରଟିଏମ) କାର୍ଡର ସଂଖ୍ୟା ବିଷୟରେ କିଛି ଜଣା ନାହିଁ । ରାହୁଲ ୨୦୧୮ରେ ପଞ୍ଜାବ ଦଳରେ ସାମିଲ୍ ହୋଇଥିଲେ । ତେବେଠୁ ସେ ଦମଦାର ବ୍ୟାଟିଂ କରି ଆସିଛନ୍ତି । ସେ ଏହି ଦଳ ପାଇଁ ଗତ ଚାରୋଟି ସିଜିନରେ କ୍ରମାଗତ ୬୦୦ରୁ ଉଦ୍ଧ୍ୱର୍ ରନ କରିଛନ୍ତି । ହେଲେ ଅଧିନାୟକ ଭାବେ ଦଳକୁ ଟାଇଟଲ୍ ଦେବାରେ ବିଫଳ ହୋଇଛନ୍ତି ।

 

Get real time updates directly on you device, subscribe now.