fbpx

କୋହଲି ପୁଣି ଟେଷ୍ଟରେ ନେବେ ଭାରତର ନେତୃତ୍ୱ! ପୂର୍ବ ଚିଫ୍ ସିଲେକ୍ଟର ଦେଲେ ସଂକେତ…

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ବର୍ତ୍ତମାନ ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ୨୦୨୩ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପରାସ୍ତ ପରେ ଟିମ ଇଣ୍ଡିଆକୁ ନେଇ ପ୍ରଶ୍ନ ଉଠିଛି । ବିଶେଷ କରି ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱକୁ ନେଇ ଅନେକ କ୍ରିକେଟପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । ରୋହିତଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପୁଣିଥରେ ଅଧିନାୟକ ପଦ ଫେରାଇ ଦେବା ପାଇଁ ଅନେକ ଦାବି ଉଠିଛି । ତେବେ ଏହି ଦାବିକୁ ସମର୍ଥନ ଜଣାଇଛନ୍ତି ଭାରତୀୟ ଟିମର ପୂର୍ବତନ ଚିଫ ସିଲେକ୍ଟର ଏମ.ଏସ.କେ ପ୍ରସାଦ ।

ଚଳିତବର୍ଷ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ପରିବର୍ତ୍ତନ କରିବା ପାଇଁ ଦାବି ଜୋର ଧରିଛି । ରୋହିତଙ୍କ ହାତରୁ ନେତୃତ୍ୱ ଛଡାଇ ପୁଣିଥରେ ବିରାଟଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ କ୍ରିକେଟପ୍ରେମୀ ଦାବି କରିଛନ୍ତି । ତେବେ ଏହି ଦାବିକୁ ସମର୍ଥନ ଜଣାଇଛନ୍ତି ପୂର୍ବ ଚିଫ୍ ସିଲେକ୍ଟର ଏମଏସକେ ପ୍ରସାଦ । ଭାରତୀୟ ଦଳର କୌଣସି ଯୁବ ଖେଳାଳିଙ୍କୁ ଦଳର ନେତୃତ୍ୱ ଦିଆଯାଇପାରେ ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି ଯେ, ଯୁବ ଖେଳାଳି କାହିଁକି, ବିରାଟ କାହିଁକି ନୁହେଁ? ଯଦି ଅଜିଙ୍କ୍ୟା ରାହାଣେଙ୍କୁ ପୁଣିଥରେ ଦଳର ଉପ-ଅଧିନାୟକ ପଦ ଦିଆଯାଇ ପାରିଲା, ତେବେ ବିରାଟଙ୍କୁ ଅଧିନାୟକ ପଦ କାହିଁକି ଦିଆ ଯାଇ ପାରିବ ନାହିଁ । ତେବେ ଅଧିନାୟକ ପଦକୁ ନେଇ ବିରାଟଙ୍କ ମତ କ’ଣ ତାହା ମୋତେ ଜଣାନାହିଁ । ତେବେ ଯଦି ରୋହିତଙ୍କ ଆଗକୁ ନେଇ ଚିନ୍ତା କରାଯାଉଛି, ତେବେ ବିରାଟ କୋହଲି ଦଳ ପାଇଁ ଏକ ବଡ ବିକଳ୍ପ ହୋଇପାରନ୍ତି ବୋଲି କହିଛନ୍ତି ଏମଏସକେ ପ୍ରସାଦ ।

୨୦୧୪ରେ ଟିମ ଇଣ୍ଡିଆର ଅଧିନାୟକ ଏମ.ଏସ ଧୋନୀଙ୍କ ଅବସର ପରେ ବିରାଟ କୋହଲି ଦଳର ନେତୃତ୍ୱ ନେଇଥିଲେ । ୨୦୧୪ ମସିହାରୁ ୨୦୨୨୨ ଜାନୁୟାରୀ ପର୍ଯ୍ୟନ୍ତ ସେ ଦଳର ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହି ସମୟରେ ଟେଷ୍ଟ ଫର୍ମାଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ସୁନ୍ଦର ରହିଥିଲା । କିନ୍ତୁ ୨୦୨୨ରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ବିରାଟ । ଏହାପରେ ଦଳର ନେତୃତ୍ୱଭାର ରୋହିତ ଶର୍ମାଙ୍କ କାନ୍ଧରେ ନ୍ୟସ୍ତ କରିଥିଲା ବିସିସିଆଇ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୬୮ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୪୦ ଟେଷ୍ଟରେ ବିଜୟ ହାସଲ କରିଛି ଏବଂ ୧୭ଟି ମ୍ୟାଚରେ ପରାଜୟର ସାମନା କରିଛି । ଭାରତୀୟ ଅଧିନାୟକ ଭାବରେ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିବାର ରେକର୍ଡ ମଧ୍ୟ ବିରାଟଙ୍କ ନାମରେ ରହିଛି ।

Get real time updates directly on you device, subscribe now.