fbpx

ସଚିନଙ୍କ ‘ବିରାଟ’ ରେକର୍ଡ ଭାଙ୍ଗିବେ କୋହଲି! ବଦଳିବ ୧୪୭ ବର୍ଷର ଇତିହାସ, ଅପେକ୍ଷାରେ ଫ୍ୟାନ୍ସ…

ନୂଆଦିଲ୍ଲୀ: ୧୯ ତାରିଖରୁ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଲମ୍ବା ବ୍ରେକ ପରେ ପୁଣିଥରେ ଆକ୍ସନକୁ ଆସିବ ରୋହିତ ସେନା । ତେବେ ଗୌତମ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ ଭାରତ ପୁଣି ଏକ ଆଇସିସି ଟ୍ରଫି ପାଇଁ ପ୍ରସ୍ତୁତ ହେଉଛି । ଏହି ସିରିଜରେ ରୋହିତ ଏବଂ ବିରାଟଙ୍କ ପାଖରେ ଅନେକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ତେବେ ବାଂଲାଦେଶ ବିପକ୍ଷ ସିରିଜରେ ବିରାଟ କୋହଲିଙ୍କ ସାମନାରେ ରହିବ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ‘ଗଡ୍ ଅଫ୍ କ୍ରିକେଟ’ ସଚିନ ତେନ୍ଦୁଲକରଙ୍କ ଏକ ପୁରୁଣା ରେକର୍ଡ । ଏହି ମହାରେକର୍ଡ ଭାଙ୍ଗି ୧୪୭ ବର୍ଷର କ୍ରିକେଟ ଇତିହାସକୁ ବଦଳାଇବା ଚେଷ୍ଟାରେ ରହିବେ ବିରାଟ ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ କୋହଲି ଏକ ମହାରେକର୍ଡର ନିକଟବର୍ତ୍ତୀ ରହିଛନ୍ତି । ଏହି ସିରିଜରେ ସେହି ମହାରେକର୍ଡକୁ ନିଜ ନାମରେ କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବେ କିଙ୍ଗ କୋହଲି । ଏହି କାରନାମା କରିପାରିଲେ ବିରାଟ ବିଶ୍ୱର ଏକମାତ୍ର ଖେଳାଳି ହୋଇପାରିବେ । ନିଜ ଇଣ୍ଟରନେସନାଲ(ଦିନିକିଆ, ଟି-୨୦ ଏବଂ ଟେଷ୍ଟ) କ୍ୟାରିୟରର ମୋଟ ୫୯୧ ଇନିଂସରେ ବିରାଟ ୨୬,୯୪୨ ରନ୍ ସଂଗ୍ରହ କରିଛନ୍ତି । ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ୨୭ ହଜାର ରନ୍ ପୂରଣ କରିବାରୁ ମାତ୍ର ୫୮ ରନ୍ ଦୂରରେ ରହିଛନ୍ତି କୋହଲି । ଯଦି ବାଂଲାଦେଶ ବିପକ୍ଷ ସିରିଜରେ କୋହଲି ଏହି ୫୮ ରନ୍ ସଂଗ୍ରହ କରିବାରେ ସଫଳ ହୁଅନ୍ତି, ତେବେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ବିଶ୍ବର ଏକମାତ୍ର ଖେଳାଳି ହୋଇପାରିବେ ।

ସୂଚନା ଥାଉ କି, ସଚିନ୍ ୬୨୩ ଇନିଂସରୁ (୨୨୬ ଟେଷ୍ଟ, ୩୯୬ ଦିନିକିଆ ଏବଂ ୧ ଟି-୨୦) ୨୭,୦୦୦ ରନ୍ ପୂରଣ କରିଥିଲେ । କିନ୍ତୁ ୬୦୦ରୁ କମ୍ ଇନିଂସରେ ୨୭ ହଜାର ରନ୍ ପୂରଣ କରିବାରେ ସଫଳ ହେବା ପାଇଁ ବିରାଟଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି । ତେବେ ଆଗାମୀ ୮ଟି ଇନିଂସ ମଧ୍ୟରେ ବିରାଟ ଏହି ମାଇଲଷ୍ଟୋନ୍ ଛୁଇଁ ପାରିଲେ ବିଶ୍ୱର ଏକମାତ୍ର ଖେଳାଳି ଭାବରେ ୬୦୦ରୁ କମ୍ ଇନିଂସରେ ୨୭ ହଜାର ରନ୍ ନିଜ ନାକରେ କରି ଇତିହାସ ସୃଷ୍ଟି କରିପାରିବେ । ୧୪୭ ବର୍ଷର କ୍ରିକେଟ ଇତିହାସରେ ବର୍ତ୍ତମାନ ସୁଦ୍ଧା କୌଣସି ଖେଳାଳି ଏହି କାରନାମା କରିବାରେ ସଫଳ ହୋଇନାହାନ୍ତି । ସଚିନଙ୍କ ବ୍ୟତୀତ ଇଣ୍ଟରନେସନାଲ କ୍ରିକେଟରେ ରିକି ପଣ୍ଟିଂ ଏବଂ କୁମାର ସାଙ୍ଗାକାରା ୨୭ ହଜାର ରନ୍ ପୂରଣ କରିଛନ୍ତି ।

Get real time updates directly on you device, subscribe now.